ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ, ଅଗଷ୍ଟ ୩୧ରୁ ଡେଡଲାଇନ ପ୍ରକ୍ରିୟା
ୱେବ ପୋର୍ଟାଲରେ ହେବ ଆବେଦନ
ମୂଲ୍ୟ ଉଲ୍ଲେଖ କରିବେ ଡିଲର
ଭୁବନେଶ୍ୱର : ରାଜ୍ୟରେ ଯାତାୟତ କରୁଥିବା ସମସ୍ତ ପୁରୁଣା ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ଲଗାଇବା ବାଧ୍ୟତାମୂଳକ । ଆସନ୍ତା ୩ମାସ ସୁଦ୍ଧା ପୁରୁଣା ଗାଡ଼ିରେ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଲଗାଇଲେ ୫ହଜାରରୁ ୧୦ହଜାର ଟଙ୍କା ପର୍ୟ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ । ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସମସ୍ତ ପୁରୁଣା ଗାଡ଼ିର ମାଲିକମାନଙ୍କୁ ୩ମାସ ସମୟ ଦିଆଯାଇଛି । ସେମାନେ ଏହି ଅବଧି ମଧ୍ୟରେ ନିଜ ଗାଡ଼ିର ନମ୍ବର ପ୍ଲେଟ୍ ପରିବର୍ତ୍ତନ କରି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବେ । ୨୦୧୯ ଏପ୍ରିଲ ପହିଲାରୁ ରାଜ୍ୟରେ ସମସ୍ତ ନୂଆ ଗାଡ଼ିରେ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ ହୋଇଛି । ପରିବହନ ବିଭାଗ ପକ୍ଷରୁ ସବୁ ପୁରୁଣା ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ ପରିବର୍ତ୍ତନ ପାଇଁ ମଧ୍ୟ ଅବଧି ସ୍ଥିର ହୋଇଛି ।
କେନ୍ଦ୍ରୀୟ ମୋଟର ଯାନ ଆଇନ ରୁଲ୍ସ-୧୯୮୯ର ରୁଲ୍ସ-୫୦ ଅନୁଯାୟୀ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ୨୦୨୨ ଅଗଷ୍ଟ ୩୧ରୁ ଡେଡ୍ଲାଇନ ପ୍ରକ୍ରିୟା ଆରମ୍ଭ ହେବ। ତଦନୁଯାୟୀ ଗାଡ଼ିମାଲିକଙ୍କ ଉପରେ ଜରିମାନା ଲାଗୁ ହେବ।
ଯେଉଁ ଯାନବାହନଗୁଡ଼ିକର ପଞ୍ଜୀକରଣ ନମ୍ବର ଶେଷ ଅକ୍ଷର ୧ ଓ ୨ ରହିଛି, ସେମାନଙ୍କ ପାଇଁ ଏଚ୍ଏସ୍ଆରପି ଲଗାଇବା ନିମନ୍ତେ ଅଗଷ୍ଟ ୩୧ ଧାର୍ଯ୍ୟ କରାଯାଇଥିବା ବେଳେ ଶେଷ ଅକ୍ଷର ୩ ଓ ୪ ପାଇଁ ସେପ୍ଟେମ୍ବର ୩୦, ୫ ଓ ୬ ପାଇଁ ଅକ୍ଟୋବର ୩୧ ଏବଂ ୭ ଓ ୮ ପାଇଁ ନଭେମ୍ବର ୩୦ ଏବଂ ଶେଷ ଅକ୍ଷର ୯ ଓ ୦ ପାଇଁ ଡିସେମ୍ବର ୩୧କୁ ଡେଡ୍ଲାଇନ ଧାର୍ଯ୍ୟ କରାଯାଇଛି। ଶେଷ ତାରିଖ ଯାଏ ଅପେକ୍ଷା ନ କରି ମାଲିକମାନେ ଯଥାଶୀଘ୍ର ନିଜ ନିଜ ଗାଡ଼ିରେ ଏଚ୍ଏସ୍ଆରପି ଲଗାଇବାକୁ ପରାମର୍ଶ ଦିଆଯାଇଛି। ଧାର୍ଯ୍ୟ ସମୟ ପରେ ଜରିମାନା ବାବଦରେ ମୋଟର ଯାନ ଆଇନ-୧୯୮୮ର ସେକ୍ସନ ୧୯୨ ଅନୁଯାୟୀ ୫ ହଜାରରୁ ୧୦ ହଜାର ଟଙ୍କାର ଇ-ଚାଲାଣ କଟାଯିବ ବୋଲି ଚେତାବନୀ ଦିଆଯାଇଛି। ଗାଡ଼ିରେ ଏଚ୍ଏସ୍ଆରପି କେବଳ ଗାଡ଼ି ନିର୍ମାତାଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା କିମ୍ବା ଭେଣ୍ଡର ଲଗାଇବେ। ଯାନବାହନ ନିର୍ମାତା ଏହି ନମ୍ବର ପ୍ଲେଟ୍ ଯୋଗାଇଦେବେ। ଗାଡ଼ି ମାଲିକମାନେ ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଅନ୍ଲାଇନ ପୋର୍ଟାଲ ଜରିଆରେ ବୁକ୍ କରିପାରିବେ। ଏହାଦ୍ୱାରା ସ୍ବଚ୍ଛତା ବଜାୟ ରହିପାରିବ। ଡିଲରମାନେ ଅଧିକ ଟଙ୍କା ଦାବି କରିପାରିବେ ନାହିଁ। ଯାନ ନିର୍ମାତାମାନେ ସେହି ପୋର୍ଟାଲକୁ ସ୍ବୀକୃତି ଦେବା ସହ ଗାଡ଼ି ମାଲିକମାନେ କେଉଁ ଡିଲର, କେଉଁ ଜାଗାରେ ଓ କେତେବେଳେ ନମ୍ବର ପ୍ଲେଟ୍ ଲଗାଇବେ ତାହା ସୂଚିତ କରିବେ। ଡିଲରମାନେ ନମ୍ବର ପ୍ଲେଟ୍ ବଦଳାଇବା ପାଇଁ କେତେ ଟଙ୍କା ନେଉଛନ୍ତି ତାହା ଏକ ଡିସ୍ପ୍ଲେ ବୋର୍ଡରେ ଉଲ୍ଲେଖ କରିବେ। ଏଥିସହିତ ପୋର୍ଟାଲରେ ମଧ୍ୟ ତାହା ଉଲ୍ଲେଖ ରହିବ। ଯଦି ଗାଡ଼ି ମାଲିକ ଚାହିଁବେ ତେବେ ସର୍ଭିସ୍ ଚାର୍ଜ ଦେଇ ଡିଲର ଜରିଆରେ ଘରେ ମଧ୍ୟ ଲଗାଇପାରିବେ। ଏଚ୍ଏସ୍ଆରପି ଲଗାଇବା ପରେ ଭେଣ୍ଡରମାନେ ପରିବହନ ଲେଜର କୋଡ୍ ପରିବହନ ବିଭାଗ ଓ୍ବେବ୍ସାଇଟ ‘ବାହାନ’ ପୋର୍ଟାଲ ସହିତ ଅପ୍ଡେଟ୍ ହୋଇଛି କି ନାହିଁ ତାହା ନିଶ୍ଚିତ କରିବେ। ନମ୍ବର ପ୍ଲେଟ୍ ପାଇଁ ବୁକ୍ କରିଥିବା ଗାଡ଼ି ମାଲିକଙ୍କୁ ଏସ୍ଏମ୍ଏସ୍ ଜରିଆରେ ସମସ୍ତ ସୂଚନା ପ୍ରଦାନ କରିବେ। ଯଦି କୌଣସି ଯାନର ବୈଧ ପଞ୍ଜୀକରଣ ସାର୍ଟିିଫିକେଟ ନ ଥିବ କିମ୍ବା ଟିକସ ବାକି ରହିଥିବ ତେବେ ସେମାନଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ଅନୁମତି ମିଳିବ ନାହିଁ। ସେହିପରି ଯାନ ନିର୍ମାତାଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ବ୍ୟତୀତ ଅନ୍ୟ କୌଣସି ଡିଲର କିମ୍ବା ବ୍ୟକ୍ତି ଯଦି ଏଚ୍ଏସ୍ଆରପି ଯୋଗାଣ କରିବା ଜଣାପଡ଼ିବ ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି।
ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ପଦକ୍ଷେପ ନେବାକୁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଆର୍ଟିଓମାନେ ସେମାନଙ୍କ ଅଞ୍ଚଳରେ ଥିବା ଡିଲରମାନଙ୍କ ସହ ବୈଠକ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ମୋଡାଲିଟି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।