ବାହା ହେବାକୁ ଜିଦ୍ ଧରିବାରୁ ପ୍ରେମିକାଙ୍କୁ ଜିଅନ୍ତା ଜାଳିଲା ପ୍ରେମିକ
- ଚିକିତ୍ସାଧୀନ ଅବସ୍ଥାରେ ଏମକେସିଜି ହସ୍ପିଟାଲରେ ଯୁବତୀ ମୃତ
ଗଞ୍ଜାମ : ଗଞ୍ଜାମ ଜିଲା ପୋଲସରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାହା ହେବା ପାଇଁ ଜିଦ୍ କରିବାରୁ ପ୍ରେମିକାଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଲା ପ୍ରେମିକ। ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି । ମୃତ ଯୁବତୀ କବିସୂର୍ଯ୍ୟନଗର ଥାନା କଳମ୍ବ ଗ୍ରାମର ବୋଲି ଜଣାପଡ଼ିଛି। ସେହିପରି ଅଭିଯୁକ୍ତ ପ୍ରେମିକ ପ୍ରତାପୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କୁ ଅଟକ ରଖାଯାଇଥିବା ପୋଲିସ ସୂଚନା ଦେଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଯେ, ମଙ୍ଗଳବାର ଅପରାହ୍ନରେ ଉଭେ ଦେଖା ଓ କଥା ହେବ ପାଇଁ ପ୍ରତାପପୁର ନିକଟରେ ଥିବା ଅବ୍ୟବହୃତ ଫ୍ୟାକ୍ର୍ଟିକୁ ଆସିଥିଲେ। ସେଠାରେ ଯୁବତୀ ଜଣଙ୍କ ତାଙ୍କୁ ବାହା ହେବା ପାଇଁ ଜିଦ୍ କରିବାରୁ ଯୁବକ ଜଣଙ୍କ ରାଗିଯାଇ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଯୁବତୀଙ୍କ ଚିତ୍କାର ଶୁଣି ପାଖ ବିଲରେ କାମ କରୁଥିବା ଲୋକେ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିଲେ। ଲୋକମାନେ ଖବର ଦେବାପରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଡାକ୍ତରଖାନା ନେଇଥିଲେ। ଶରୀରର ପ୍ରାୟ ୮୦ ଭାଗ ଜଳି ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପୁରୁଷୋତ୍ତମପୁର ମେଡିକାଲ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଛି। କିନ୍ତୁ ମୃତ୍ୟୁ ପୂର୍ବରୁ ପୋଲିସ ଆଗରେ ବୟାନ ଦେଇଛନ୍ତି ସଂପୃକ୍ତ ଯୁବତୀ। ଜଣେ ଯୁବକ ତାଙ୍କୁ ଜାଳି ଦେଇଥିବା କହିବା ସହ ସେ ଯୁବକଙ୍କ ଘର ପ୍ରତାପୁର ବୋଲି କହିଥିଲେ । ଯୁବକଙ୍କ ମୋବାଇଲ୍ ନମ୍ବର ବି ଦେଇଥିଲେ । ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ପୋଲିସ ଚମ୍ପଟ ମାରିଥିବା ଅଭିଯୁକ୍ତ ଯୁବକ କୃଷ୍ଣ ସାହୁଙ୍କୁ କେଶପୁରରୁ କାବୁ କରିଛି । ଏଥିସହ ଯୁବକ ଜଣଙ୍କ ବ୍ୟବହାର କରିଥିବା ବାଇକ୍ ଜବତ କରାଯାଇଛି । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଯୁବତୀଙ୍କୁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ବ୍ରହ୍ମପୁର ଡାକ୍ତରଖାନାରେ ଯୁବତୀଙ୍କ ମୃତ୍ୟୁ ହୋଇଛି ।