ଗୁଣି ଗାରେଡି ସନ୍ଦେହରେ ଜଣକୁ ହତ୍ୟା
ମାଲକାନଗିରି : ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ତେନ୍ତୁଳିଗୁଡା ଗାଁରେ । ଏନେଇ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି ଆକ୍ରମଣରେ ଶିକାର ହୋଇଥିବା ପରିବାର ଲୋକେ ।ଅଭିଯୋଗ ଅନୁସାରେ, ତେନ୍ତୁଳିଗୁଡ଼ା ଗାଁରେ ବସବାସ କରୁଥିବା କବାସି ପରିବାରର ତିନି ଜଣ ସଦସ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିଲା । କେହି ଗୁଣିଗାରେଡି କରିବା ଯୋଗୁ ଏପରି ହେଉଥିବା ପରିବାର ଲୋକେ ସନ୍ଦେହ କରିଥିଲେ । ଏନେଇ ପାଖ ଗାଁରେ ରହୁଥିବା ଜଣେ ଗୁଣିଆ ପାଖକୁ ଯାଇଥିଲେ । ଗୁଣିଆ ତେନ୍ତୁଳିଗୁଡା ଗାଁର ଦେବା ପଡିଆମି , କେଶା କବାସି ଓ ପ୍ରେମା ପଡିଆମି ଗୁଣିଗାରେଡି କରିଥିବା କବାସି ପରିବାର ଲୋକଙ୍କୁ କହିଥିଲେ । ଏନେଇ ଗାଁରେ ଗତକାଲି ଦିନରେ ଏକ ସଭା ବସିଥିଲା । ସେହି ସଭାରେ ଦେବା ପଡିଆମି ଓ ପ୍ରେମା ପଡିଆମି ଉପସ୍ଥିତ ଥିଲେ । ସଭା ଚାଲିଥିବା ବେଳେ କବାସି ପରିବାର ଲୋକେ ଉଭୟ ବାପା ଓ ପୁଅକୁ ନିର୍ଧୂମ ପିଟିଥିଲେ । ବାପା ଭାଇକୁ ମାଡ଼ ଖାଉଥିବା ଦେଖୁ ଝିଅ ମାଧୁରୀ ପଡିଆମି ସେଠାରେ ପହଞ୍ଚି ସେମାନଙ୍କୁ ଅଟକାଇ ଥିଲେ । ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଏନେଇ ମାଧୁରୀ ପଡିଆମି ଗତକାଲି ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରୁଛି । ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ ।