ଗୁଜୁରାଟ ନିର୍ବାଚନ, ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ
ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ମଇଦାନରେ ବିଜେପିର ହେଭିୱେଟ୍ । ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟ କଚ୍ଛର ଅଞ୍ଜରରେ ନିର୍ବାଚନୀ ସଭାରେ ଯୋଗଦେଇ ସମ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଏହି ସଭାରେ ଲୋକଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ଗୁଜରାଟ ବିକାଶ ଦିଗରେ ବିଜେପି ଯେଉଁ କାର୍ଯ୍ୟ କରିଛି ସେନେଇ ଲୋକଙ୍କୁ କହିବା ସହ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ବିଜେପି ୧୯୯୫ରୁ ୨୭ ବର୍ଷ ହେବ ଗୁଜରାଟରେ ସରକାରରେ ଅଛି ।
ଗୁଜରାଟ ନିର୍ବାଚନରେ ଦଳୀୟ ପ୍ରଚାର ପାଇଁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କଂଗ୍ରେସକୁ ପୁଣି ଟାର୍ଗେଟ କରିଛନ୍ତି । ଏଥିସହ କଂଗ୍ରେସ କିପରି ଗୁଜରାଟବାସୀଙ୍କ ହୃଦୟ ଜିତିବ ତାର ମନ୍ତ୍ର ବତାଇଛନ୍ତି ମୋଦି । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାରେ ନର୍ମଦା ବଂଚାଅ ଆନ୍ଦୋଳନର ନେତୃତ୍ୱ ନେଇଥିବା ସାମାଜିକ କର୍ମୀ ମେଧା ପାର୍ଟକରଙ୍କୁ ନେଇ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରିଥିଲେ । ମୋଦି କହିଥିଲେ ଯେ, କଂଗ୍ରେସ ଗୁଜରାଟବାସୀଙ୍କ ମନ ଜିଣିବାକୁ ହେଲେ ଡିଭାଇଡ୍ ଆଣ୍ଡ ରୁଲ ପଲିସିରୁ ନିବୃତ ରହିବା ଉଚିତ୍ ।
ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କୁ ସମର୍ଥନ କରି ଭବନଗର ଜିଲ୍ଲାର ପାଲିତାନା ସହରରେ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଗୁଜରାଟର ଲୋକମାନେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି । କାରଣ ଦଳ ଏଠିକାର ଗୋଟିଏ ଅଂଚଳକୁ ବିରୋଧ କରି ଅନ୍ୟ ଗୋଟିଏ ଅଂଚଳକୁ ସମର୍ଥନ କରି ସେମାନଙ୍କୁ ଉସକାଇବା ଭଳି କାମ କରିଛି । ଫଳରେ ରାଜ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛି । ଯେଉଁମାନେ ଭାରତ ବିଭାଜନ ସପକ୍ଷରେ ଅଛନ୍ତି ସେମାନଙ୍କୁ ଗୁଜରାଟବାସୀ ସମର୍ଥନ କରନ୍ତି ନାହିଁ । ସେହିପରି ରାହୁଲ ଗାନ୍ଧିଙ୍କ ଭାରତ ଯୋଡା ଯାତ୍ରା ସମୟରେ ମେଧା ପାଟକରଙ୍କ ସହ ବୁଲିବା ନେଇ ଟାର୍ଗେଟ କରିଥିଲେ ମୋଦି । ୧୮୨ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭା ପାଇଁ ଆସନ୍ତା ଡିସେମ୍ବର ୧ ଓ ୫ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଡିସେମ୍ବର ୮ ରେ ଭୋଟ୍ ଗଣନା କରାଯିବ । ମୋଦି କହିଛନ୍ତି ଯେ, ସର୍ଦ୍ଦାର ସରୋବର ଡ୍ୟାମ ପ୍ରକଳ୍ପକୁ ୪୦ ବର୍ଷ ଧରି ଅଟକାଇବା ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ସହ ବୁଲୁଥିବା ଲୋକଙ୍କୁ ଗୁଜୁରାଟର ଲୋକମାନେ କଦାପି କ୍ଷମା କରିବେ ନାହିଁ ।