ଇପିଏଫ୍ଓ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ‘ଇଜି ଅଫ୍ ଲିଭିଂ’ ଅଧୀନରେ ଅଧିକ ବିସ୍ତାର ହେବ ଅଟୋ-ମୋଡ୍ ସେବା
ନୂଆଦିଲ୍ଲୀ: ଇପିଏଫ୍ଓ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ଏହାର ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛି। ଏବେ ଇପିଏଫ୍ଓରୁ ଟଙ୍କା କାଢିବା ଅତି ସହଜ ହେବାକୁ ଯାଉଛି। କାରଣ ଇପିଏଫଓ ଅଟୋ କ୍ଲେମ୍ ବ୍ୟବସ୍ଥାର ପରିସରକୁ ଅଧିକ ବିସ୍ତାର କରିଛି। ଏ ସମ୍ପର୍କରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ କେବଳ ଅସୁସ୍ଥତା ପାଇଁ ଇପିଏଫଓ ଆକାଉଣ୍ଟରୁ ଅଗ୍ରୀମ ରାଶି ଉଠାଇ ହେଉଥିଲା କିନ୍ତୁ ଏବେ ଶିକ୍ଷା, ବାହାଘର ଓ ଘର କାମ ପାଇଁ ମଧ୍ୟ ଜମା ରାଶିରୁ ଅଗ୍ରୀମ ପରିମାଣ ଉଠାଇ ପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ କୌଣସି କାଗଜପତ୍ର କାମ କରିବାକୁ ପଡିବ ନାହିଁ। କେବଳ ଅନଲାଇନରେ ଆବେଦନ କରିଲେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ।
ସୂଚନା ଅନୁସାରେ ଇପିଏଫ୍ଓ ‘ଇଜି ଅଫ୍ ଲିଭିଂ’ ଅଧୀନରେ ଅଟୋ-ମୋଡ୍ ସେବାକୁ ଅଧିକ ବିସ୍ତାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଅସୁସ୍ଥତା ପାଇଁ ଅଟୋ-ମୋଡ୍ ସମାଧାନର ସୁବିଧା ଦିଆଯାଉଥିଲା। ହେଲେ କୋଟି କୋଟି ହିତାଧିକାରୀଙ୍କ ଜୀବନକୁ ସହଜ କରିବା ପାଇଁ ଇପିଏଫଓ ବର୍ତ୍ତମାନ ଶିକ୍ଷା, ବିବାହ ଏବଂ ଗୃହ ନିର୍ମାଣ ଉଦ୍ଦେଶ୍ୟରେ ଅଗ୍ରୀମ ପରିମାଣର କ୍ଲେମ୍ଗୁଡିକର ଅଟୋ-ମୋଡ୍ ସମାଧାନ ଆରମ୍ଭ କରିଛି। ଏପ୍ରିଲ ୨୦୨୦ରେ କ୍ଲେମ୍ ସମାଧାନର ଅଟୋ ମୋଡ୍ ଆରମ୍ଭ ହୋଇଥିଲା। ଏଥିରେ ୫୦ହଜାର ପର୍ଯ୍ୟନ୍ତ ସୀମା ରହିଥିଲା। ଏବେ ଏହାକୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ପ୍ରାୟ ୨.୨୫କୋଟି ହିତାଧିକାରୀ ଏହି ସୁବିଧା ଦ୍ୱାରା ଉପକୃତ ହେବ ବୋଲି କୁହାଯାଉଛି।
୨୦୨୩-୨୪ ବର୍ଷରେ ଇପିଏଫଓ ପ୍ରାୟ ୪.୪୫କୋଟି କ୍ଲେମ୍ ସମାଧାନ କରିଛି। ଯେଉଁଥିରେ ୮୯.୫୨ଲକ୍ଷ ଦାବି ଅଟୋ-ମୋଡ୍ ବ୍ୟବହାର କରି ସମାଧାନ କରାଯାଇଛି। ୧୯୫୨ ଧାରା ୬୮କେ ଏବଂ ୬୮ବି ଅନୁଯାୟୀ ସମସ୍ତ ଦାବିକୁ ବୃଦ୍ଧି କରାଯାଇଛି। ଏହାସହିତ ଏହାର ସୀମା ୫୦ହଜାର ଟଙ୍କାରୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।