ଗୋଆ ବିଧାନସଭା ନିର୍ବାଚନ : କ୍ଷମତାକୁ ଆସିଲେ ମହିଳାଙ୍କୁ ମାସିକ ୧୦୦୦ ଟଙ୍କାର ସହାୟତା ଦେବ ଆପ
ପାନାଜୀ : ଆଗାମୀ ୨୦୨୨ ରେ ଗୋଆ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଗୋଆ ଭୋଟରଙ୍କ ପାଇଁ ବଡ ଘୋଷଣା କରିଛି ଆମ ଆଦମି ପାର୍ଟି (ଆପ) । ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି, ଯଦି ଆଗାମୀ ନିର୍ବାଚନରେ ତାଙ୍କ ଦଳ ଆପ କ୍ଷମତାକୁ ଆସେ ତେବେ ୧୮ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ପାଇଁ ମାସିକ ୧୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ।
କେଜ୍ରିୱାଲ ଗୋଆରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, ଆର୍ଥିକ ପଛୁଆ ବର୍ଗର ମହିଳାମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ‘ଗୃହ ଆଧାର’ ଯୋଜନାରେ ମିଳୁଥିବା ମାସିକ ସହାୟତା ରାଶି ୧,୫୦୦ରୁ ୨,୫୦୦ ଟଙ୍କାକୁ ବୃଦ୍ଧି କରାଯିବ । ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରତ୍ୟେକ ମହିଳାଙ୍କୁ ଅତିରିକ୍ତ ମାସିକ ୧,୦୦୦ ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରାଯିବ । ଆପର ଏହି ଯୋଜନା ଗୋଆର ମହିଳାଙ୍କ ପାଇଁ ଏହା ସବୁଠୁ ବଡ ସଶକ୍ତିକରଣ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି କେଜ୍ରିଓ୍ବାଲ ।
ଆସନ୍ତାବର୍ଷ ଗୋଆରେ ନିର୍ବାଚନ ହେବାକୁ ଥିବାବେଳେ ବର୍ତ୍ତମାନ ରାଜ୍ୟରେ ଶାସନ କ୍ଷମତା ବିଜେପି ହାତରେ ରହିଛି । ଏହି ବିଧାନସଭା ନିର୍ବାଚନରେ ୪୦ଟି ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆପ ଘୋଷଣା କରିଛି । ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ବ୍ୟତୀତ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମସି ଶିବସେନା ଏବଂ ଅନ୍ୟାନ୍ୟ ଦଳ ମଧ୍ୟ ଗୋଆ ନିର୍ବାଚନୀ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
ସେହିପରି ଆସନ୍ତାବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆପ ପ୍ରତିଦ୍ବନ୍ଦ୍ବିତା ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଲାଣି । ପୂର୍ବରୁ ମଧ୍ୟ ମହିଳାଙ୍କ ସଶକ୍ତିକରଣ ପାଇଁ ମାସିକ ଆର୍ଥିକ ପ୍ରୋତ୍ସାହନ ରାଶି ପଞ୍ଜାବରେ ମଧ୍ୟ ଘୋଷଣା କରିସାରିଛନ୍ତି ଆପ ମୁଖ୍ୟ କେଜ୍ରିୱାଲ । କେଜ୍ରିଓ୍ବାଲ ଉତ୍ତର ପ୍ରଦେଶ ଗସ୍ତ କରିଥିଲେ । ପରେ ପଞ୍ଜାବରେ ମଧ୍ୟ ବିଧାନସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ପରେ ଏବେ ଗୋଆରେ ମଧ୍ୟ ସମାନ ତଥା ମହିଳା ସଶକ୍ତିକରଣ ରଣନୀତି ଆପଣାଇଥିବା ଦେଖିବାକୁ ମିଳିଛି ।