ଭାରତୀୟ ରେଳବାଇ ପକ୍ଷରୁ ପ୍ରଥମ ଥର ଲାଗି ପଡ୍ ହୋଟେଲ ବ୍ୟବସ୍ଥା ଆରମ୍ଭ, ମିଳିବ ଏହି ସବୁ ସୁବିଧା
ମୁମ୍ବାଇ : ଭାରତୀୟ ରେଳ ପକ୍ଷରୁ ରେଳଯାତ୍ରୀଙ୍କୁ ମିଳିଛି ଉପହାର। ଏଣିକି ବିଦେଶ ଭଳି ଦେଶରେ ମଧ୍ୟ ରେଳଯାତ୍ରୀ ରେଳ ଷ୍ଟେସନ ଠାରେ ପଡ୍ ହୋଟେଲ୍ ବ୍ୟବସ୍ଥାର ଲାଭ ଉଠାଇପାରିବେ। ଭାରତୀୟ ରେଳବାଇ ପକ୍ଷରୁ ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେସନ ଠାରେ ପୋଡ ହୋଟେଲ ବ୍ୟବସ୍ଥା ଆରମ୍ଭ କରାଯାଇଛି। ମୁମ୍ବାଇ ପରେ ଆଇଆରସିଟିସି ବର୍ତ୍ତମାନ ଯାତ୍ରୀଙ୍କ ସୁବିଧା ପାଇଁ ଆଗ୍ରା, ଜୟପୁର, କାଟାରା, ଜମୁ, ଦିଲ୍ଲୀ ପ୍ରଭୃତି ରେଳ ଷ୍ଟେସନ ଠାରେ ଏପରି ସୁବିଧା ଉପଲବ୍ଧ କରାଇବାକୁ ଯୋଜନା କରୁଛି। ଏନେଇ ଉତ୍ତର ରେଳବାଇ ଠାରୁ ଅନୁମତି ମିଳିବା ମାତ୍ରେ ଏପରି ହୋଟେଲ ନିର୍ମାଣ କରାଯାଇ ପାରିବ।
ପଡ୍ ହୋଟେଲ୍ ହେଉଛି ଏକ କ୍ୟାପ୍ସୁଲ ହୋଟେଲ ଭଳି ଯେଉଁଠି କୌଣସି ଯାତ୍ରୀଙ୍କ ଶୋଇବା ଲାଗି ଛୋଟ କୋଠରୀ ରହିଥାଏ। ଏଠାରେ ସମସ୍ତ ପ୍ରକାର ସୁବିଧା ରହିଥାଏ। ଅନ୍ୟ କୋଠରୀ ଅପେକ୍ଷା ଏହା ଶସ୍ତା। ଭାରତୀୟ ରେଳ ଯୋଗେ ଯାତ୍ରା କରୁଥିବା ଯାତ୍ରୀ ଏବଂ ସାଧାରଣ ଲୋକ ବର୍ତ୍ତମାନ ଅପେକ୍ଷାକୃତ ସୁଲଭ ମୂଲ୍ୟରେ ଏଠାରେ ଆଧୁନିକ ଆରାମ ସୁବିଧା ପାଇପାରିବେ। ଭାରତୀୟ ରେଳବାଇ ପକ୍ଷରୁ ପ୍ରଥମ ଥର ଲାଗି ଏପରି ଅବସରପ୍ରାପ୍ତ କୋଠରୀ ସୁବିଧା ପ୍ରଦାନ କରାଯାଇଛି। ରେଳ ଇତିହାସରେ ପ୍ରଥମ ଥର ପାଇଁ ଯାତ୍ରୀ ମୁମ୍ବାଇ ସେଣ୍ଟ୍ରାଲ ରେଳ ଷ୍ଟେସନ ଠାରେ ପହଞ୍ଚିବା ପରେ ଏପରି ଏକ ସୁବିଧା ପାଇପାରିବେ। ଖୋଲା ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ୯ ବର୍ଷ ପାଇଁ ପଡ୍ ହୋଟେଲ ସ୍ଥାପନ ଏବଂ ଏହାର ପରିଚାଳନା ପାଇଁ ଆଇଆରସିଟିସି ଠିକା ପ୍ରଦାନ କରିଛି। ଏହାକୁ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ। ପଡ୍ ହୋଟେଲ୍ ବାବଦରେ ମତ ରଖି ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି ଏଠାରେ ରହିବା ଲାଗି ଜଣଙ୍କୁ ୧୨ ଘଣ୍ଟା ୯୯୯ ଏବଂ ୨୪ ଘଣ୍ଟା ପାଇଁ ୧୯୯୯ ଟଙ୍କା ଦେବାକୁ ହେବ। ଏଠାରେ ୱାଇଫାଇ, ଟିଭି, ଏକ ଛୋଟ ଲକର, ଦର୍ପଣ ଏବଂ ରିଡିଂ ଲାଇଟ, ଇଣ୍ଟେରିୟର ଲାଇଟ୍, ମୋବାଇଲ୍ ଚାର୍ଜିଂ, ସ୍ମୋକ ଡିଟେକ୍ଟର, ଡ଼ିଏନଡି ସୂଚକ ଇତ୍ୟାଦି ସୁବିଧା ପ୍ରଦାନ କରାଯିବ। ଯାତ୍ରୀଙ୍କୁ ରାତ୍ରୀ ଯାପନ କରିବା ଲାଗି ଏଠାରେ ସୁଲଭ ମୂଲ୍ୟରେ ଏପରି ସୁବିଧା ମିଳିଥାଏ। ରେଳ ଷ୍ଟେସନ ଠାରେ ଏପରି ପଡ୍ ହୋଟେଲ ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ ବିଦେଶରୁ ଆମଦାନୀ ହୋଇଥାଏ। ଜାପାନ, ଦକ୍ଷିଣ କୋରିଆ, ଚୀନ୍ ଭଳି ଏପରି ସାମଗ୍ରୀ ନିର୍ମାଣ କରିଥାନ୍ତି। ମୁମ୍ବାଇ ସେଣ୍ଟ୍ରାଲ ରେଳ ଷ୍ଟେସନ ଠାରେ ପ୍ରାୟ ୩ ହଜାର ବର୍ଗଫୁଟ ଜାଗାରେ ଏପରି ହୋଟେଲ ନିର୍ମାଣ କରାଯାଇଛି। ଏଠାରେ ୪୮ଟି କ୍ୟାପସୁଲ ପରି କୋଠରୀ ଅଛି ଯାହା କ୍ଲାସିକ୍ ପଡ୍, ପ୍ରାଇଭେଟ ପଡ୍ ସହ ମହିଳା ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଏହାକୁ ସ୍ୱତନ୍ତ୍ର ଭାବେ ବଣ୍ଟାଯାଇଛି। କ୍ଲାସିକ୍ ପଡ୍ ସଂଖ୍ୟା ୩୦ ରହିଥିବା ବେଳେ ମହିଳାଙ୍କ ପାଇଁ ଏପରି ୭ଟି ପଡ୍ ରହିଛି। ଏହା ବ୍ୟତୀତ ୧୦ଟି ବ୍ୟକ୍ତିଗତ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ ପଡ୍ ସୁବିଧା ଯୋଗାଇ ଦିଆଯାଇଛି।