ଆଜିଠୁ ମା’ ତାରିଣୀଙ୍କ ନିକଟରେ ମାନସିକ ନଡ଼ିଆ ଭୋଗ ଲଗାଇପାରିବେ ଶ୍ରଦ୍ଧାଳୁ
ଘଟଗାଁ : ଆଜି ଠାରୁ କେନ୍ଦୁଝର ଜିଲାର ପ୍ରସିଦ୍ଧ ଦେବୀ ପୀଠ ଘଟଗାଁ ସ୍ଥିତ ମା ତାରିଣୀ ମନ୍ଦିରରେ ଭକ୍ତଙ୍କ ନିମନ୍ତେ ରହିଥିବା କଟକଣାରେ କିଛିଟା କୋହଳ କରିଛି ପ୍ରଶାସନ । ଗତ ୨୮ ଫେବୃଆରୀ କେନ୍ଦୁଝର ଜିଲାପାଳଙ୍କ ଚିଠି ନଂ ୩୭୯ ଅନୁଯାୟୀ, ଭକ୍ତ ମାନେ ମା’ଙ୍କ ନିକଟରେ ମାନସିକ ନଡ଼ିଆ ଭୋଗ ଲଗାଇପାରିବେ ନାହିଁ ବୋଲି କହିଥିଲେ । ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତଙ୍କ ପାଇଁ ମୁହଁରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଭକ୍ତ ମାନଙ୍କ ପାଇଁ ଭୋଗ ଲଗାଇବା ଧାଡ଼ି ଓ ଦର୍ଶନ ଧାଡ଼ି ଅଲଗା ରହିବ । ସମସ୍ତ ଭକ୍ତ ଦର୍ଶନ ଓ ମାଙ୍କ ନିକଟରେ ଭୋଗ ଲଗାଇବା ନିମନ୍ତେ ଯଥାକ୍ରମେ ମୁଖଶାଳା ଓ ଟିକେଟ୍ କାଉଂଟର ଦେଇ ମନ୍ଦିର ପ୍ରବେଶ କରିବେ । ଦର୍ଶନ ଓ ଭୋଗ ଲାଗି ପରେ ପ୍ରସ୍ଥାନ ଦ୍ୱାର ଦେଇ ବାହାରକୁ ବାହାରିବେ । ସେହିପରି ମା ତାରିଣୀଙ୍କ ମନ୍ଦିରକୁ ପୂଜା ନିମନ୍ତେ ଆସୁଥିବା ଗାଡି ଗୁଡିକ ଗେଟ୍ ନଂ ୫ରେ ପ୍ରବେଶ କରି ଗାଡି ପୂଜା କରିବେ । ମା ତାରିଣୀ ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ, ମିଠା ଭୋଗ ଦୋକାନ, ଅନ୍ନ ପ୍ରସାଦ, ଚକୁଳି ପ୍ରସାଦ ବିକ୍ରୀ କିମ୍ବା ପାର୍ସଲ ପରବର୍ତି ନିର୍ଦ୍ଦେଶନାମା ପ୍ରାପ୍ତି ପରେ କାର୍ଯ୍ୟକାରୀ କରାଯିବ । ବିଶେଷ କରି କରୋନା ସ୍ଥିତିରେ ସୁଧାର ଆସିବା ଏବଂ ସଂକ୍ରମଣର ହାର ହ୍ରାସ ପାଇଥିବାରୁ ପ୍ରଶାସନ ଏହି ନିଷ୍ପତି ନେଇଛି । ଏହା ବ୍ୟତୀତ ମା’ ଙ୍କର ସକାଳ ଆଳତୀ, ଅନ୍ନପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଓ ପହଡ଼ ଆଳତୀ ଯଥାରୀତି ଚାଲୁ ରହିବ ।
ସୂଚନା ଯେ, କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗତ ଅଗଷ୍ଟ ୧୦ ତାରିଖ ଠାରୁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁ ମାନେ ଭୋଗ, ଫୁଲ, ଫଳ, ଧୂପ, ଦୀପ ଆଦି ପୂଜା ସାମଗ୍ରୀ ନେବା ଉପରେ ପ୍ରଶାସନ ପକ୍ଷରୁ କଟକଣା ରହିଥିଲା । ଏପରିକି ଶିଶୁ ମାନଙ୍କ ଠାରେ ସଂକ୍ରମଣର ଭୟ ଅଧିକ ଥିବାରୁ ଶିଶୁ ମାନଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଜାରୀ କରିଥିଲା ପ୍ରଶାସନ । ହେଲେ ଏବେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ କଟକଣାକୁ କୋହଳ କରାଯାଇଛି । ଏ ନେଇ ମା’ ତାରିଣୀ ମନ୍ଦିର କାର୍ଯ୍ୟାଳୟରେ ପୂଜକ ଓ ଟ୍ରଷ୍ଟ ବୋର୍ଡ଼ ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।