ବାଲେଶ୍ୱର ସାଇବର ଥାନା ପୋଲିସକୁ ବଡ଼ ସଫଳତା : ମେଡ଼ିକାଲ କଲେଜରେ ସିଟ୍ କରାଇଦେବା ନାମରେ ଠକେଇ, ୨ ଗିରଫ
ବାଲେଶ୍ୱର : ବାଲେଶ୍ୱର ସାଇବର ଥାନା ପୋଲିସକୁ ବଡ଼ ସଫଳତା । ଗିରଫ ହେଲେ ଦୁଇ ଦଲାଲ । ବିଭିନ୍ନ ଉଚ୍ଚ ଶିକ୍ଷା ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ନାମ ଲେଖାଇଦେବା ପ୍ରତିଶ୍ରୁତି ଦେଇ ଛାତ୍ରୀଛାତ୍ର ତଥା ସେମାନଙ୍କ ଅଭିଭାବକଙ୍କ ଠାରୁ ଲୁଟିଥିଲେ କୋଟି କୋଟି ଟଙ୍କା । ଉକ୍ତ ଦୁଇ ଦଲାଲଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବାର ରବିବାର ଏସ୍ପି ଅଫିସ୍ ପରିସରରେ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି ।
ସୂଚନା ଯେ, ବାଲେଶ୍ୱର ଜିଲା ଖନ୍ତାପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ଝିଅର ଯୁକ୍ତ୨ ଶିକ୍ଷା ସମାପ୍ତ ପରେ ଏମ୍ବିବିଏସ୍ ମେଡ଼ିକାଲ ଏଣ୍ଟାନ୍ସ ପାଇଁ ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଏକ ଏକାଡ଼େମୀରେ କୋଚିଂ ନେଉଥିଲେ । ମାତ୍ର ଏକ୍ସାମ୍ରେ ୭୦୦ରୁ ୧୩୭ ମାର୍କ ରଖିଥିଲେ । ଯାହା ଏମ୍ବିବିଏସ୍ରେ ଆଡ଼ମିଶନ୍ ପାଇଁ ସମ୍ଭବପୁର ନୁହେଁ । ମାତ୍ର ତାଙ୍କୁ ଏମ୍ବିବିଏସ୍ରେ ସିଟ୍ ମିଳିବ ବୋଲି ଉକ୍ତ ଏକାଡ଼େମୀର ମାଲିକ କହି ୫୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ପରେ ଉଭୟପକ୍ଷଙ୍କ ବୁଝାମଣାରେ ୨୮ଲକ୍ଷ ଟଙ୍କାରେ ରାଜି ହୋଇଥିଲେ ଏବଂ ବ୍ୟକ୍ତି ଜଣକ ପର୍ଯ୍ୟାୟ କ୍ରମେ ୨୧ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । କୌଣସି ମେଡ଼ିକାଲ କଲେଜରେ ଆଡ଼ମିଶନ୍ ନ ପାଇବା ପରେ ବ୍ୟକ୍ତି ଜଣକ ପ୍ରତାରଣା ହୋଇଥିବାର ଅନୁଭବ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ୱର ସାଇବର ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଏନେଇ ସାଇବର ଥାନାରେ ମାମଲା (ନଂ. ୧୨ ।୨୩) ରୁଜୁ କରାଯାଇଥିଲା । ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇ ୨ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଯେଉଁମାନେ କି, ବେସରକାରୀ ଇଞ୍ଜିନିୟରିଂ/ମେଡ଼ିକାଲ /କୃଷି/ବୈଷୟିକ ମହାବିଦ୍ୟାଳୟରେ ଆଡମିଶନ କରାଇ ଦେବାର କହି ବହୁ ଛାତ୍ରୀଛାତ୍ର ତଥା ଅଭିଭାବକଙ୍କ ଠାରୁ ଟଙ୍କା ଲୁଟିଥିଲେ । ସେମାନେ ଗତ ୨୦୧୫ରୁ ଏହି ରାକେଟ୍ରେ ଜଡ଼ିତ ରହି ଆଡ଼ମିଶନ ନାମରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଲୋକଙ୍କୁ ଠକିବା ସହ ପ୍ରାୟ ୩କୋଟିରୁ ଅଧିକ ଟଙ୍କା ଠକିଥିବାର ଜଣାପଡ଼ିଥିଲା । ସେହପରି ସେମାନଙ୍କ ନାମରେ ପୂର୍ବରୁ ଇନ୍ଫୋସିଟି ଥାନାରେ ମାମଲା (ନଂ. ୯୪ ।୨୦୧୮), ମଞ୍ଚେଶ୍ୱର ଥାନା ମାମଲା (ନଂ. ୧୮ ।୨୦୧୮), ଭଦ୍ରକ ଟାଉନ୍ ଥାନା ମାମଲା (ନଂ. ୩୧୦ ।୨୦୨୧), ଲିଙ୍ଗରାଜ ଥାନା ମାମଲା (ନଂ. ୧୨୬ ।୨୦୧୯, ୨୦୬ ।୨୦୨୦, ୨୦୭ ।୨୦୨୦, ୨୦୮ ।୨୦୨୦, ୨୧୯ ।୨୦୨୧, ୨୬୭ ।୨୦୨୧), ଲକ୍ଷ୍ମୀସାଗର ଥାନା ମାମଲା (ନଂ. ୬୮ ।୨୦୨୦), ଯାଜପୁର ଟାଉନ୍ ଥାନା ମାମଲା (ନଂ. ୧୭୫ ।୨୦୨୧), ଗୁମୁଳା, ଝାଡ଼ଖଣ୍ଡ ଭର୍ଣ୍ଣୋ ଥାନା ମାମଲା (ନଂ. ୬୧ ।୨୦୧୮) ରହିଛି । ସେମାନଙ୍କ ନିକଟରୁ ଗୋଟିଏ କାର୍, ୩ଟି ନାମୀଦାମୀ ମୋବାଇଲ୍ ଓ ବିଭିନ୍ନ ବ୍ୟାଙ୍କର ୫ଟି ଏଟିଏମ୍ କାର୍ଡ଼ ଜବତ କରାଯାଇଛି । ଏଥିସହ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତ ରହିଛି ତଥା ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ ଜାରି ରହିଥିବାର ଜଣାପଡ଼ିଛି । ଖବରଦାତା ସମ୍ମିଳନୀରେ ସାଇବର ଥାନା ଅଧିକାରିଣୀ ମୀନା ବିନ୍ଧାଣୀ, ସଦର ଏସ୍ଡିପିଓ ଶଶାଙ୍କ ଶେଖର ଦେହୁରା ପ୍ରମୁଖ ଉପସ୍ଥିତ ଥିଲେ ।