ପାଟନା ବ୍ଲାଷ୍ଟ ମାମଲାରେ ୪ ଜଣଙ୍କୁ ଫାଶୀ
- ଦୁଇଜଣଙ୍କୁ ଆଜୀବନ, ଦୁଇଜଣଙ୍କୁ ୧୦ ବର୍ଷ ଏବଂ ଜଣକୁ ୭ ବର୍ଷ ଜେଲ ଆଦେଶ
ପାଟନା : ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କୋର୍ଟ ସୋମବାର ଦିନ ବିହାରର ରାଜଧାନୀ ପାଟନାରେ ଥିବା ଐତିହାସିକ ଗାନ୍ଧୀ ମଇଦାରେ ହୁଙ୍କାର ରାଲିରେ ଘଟିଥିବା ବୋମା ବିସ୍ଫୋରଣ ମାମଲାରେ ୯ ଜଣ ଦୋଷୀଙ୍କୁ ଦଣ୍ଡ ଘୋଷଣା କରିଛନ୍ତି । କୋର୍ଟ ଚାରିଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ, ଦୁଇଜଣଙ୍କୁ ଆଜୀବନ କାରାଦଣ୍ଡ, ଦୁଇ ଜଣଙ୍କୁ ଦଶ ବର୍ଷ ଏବଂ ଜଣକୁ ସାତ ବର୍ଷ ସଜା ଶୁଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହୁଙ୍କାର ରାଲି ପୂର୍ବରୁ ୨୭ ଅକ୍ଟୋବର ୨୦୧୩ରେ ଗାନ୍ଧୀ ମଇଦାର ଏବଂ ଜଙ୍କସନଠାରେ ସିରିଏଲ ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏଥି ସହ ପ୍ରାୟ ୮୫ ଜଣ ଆହତ ହୋଇଛନ୍ତି । ୨୦୧୪ରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପରେ, ବର୍ତମାନ ପର୍ଯ୍ୟନ୍ତ ୧୮୭ ଜଣଙ୍କୁ କୋର୍ଟରେ ସାକ୍ଷ୍ୟ ଦିଆଯାଇଛି । ସମସ୍ତ ଦଶ ଅଭିଯୁକ୍ତଙ୍କୁ ଗତ ମାସ ୨୭ ତାରିଖ ଦିନ ଏନଆଇଏ କୋର୍ଟରେ ହାଜର କରାଯାଇଥିଲା । ଏଥିମଧ୍ୟରୁ ଏନଆଇଏ କୋର୍ଟ ଉମେର ସିଦ୍ଦିକ, ଅହମ୍ମଦ ହୁସେନ, ଆଜାରୁଦ୍ଦିନ କୁରେଶୀ, ହୈଦର ଅଲ୍ଲୀ, ଇମତିୟାଜ ଅନସାରୀ, ମୋଜିବୁଲ୍ଲା ଅନସାରୀ, ଫିରୋଜ ଅହମ୍ମଦ ଏବଂ ନୁମାନ ଅନସାରୀଙ୍କୁ ଆଇପିସି ଆକ୍ଟର ବିଭିନ୍ନ ବିଭାଗ, ବିସ୍ଫୋରକ ଅଧିନିୟମର ବିଭିନ୍ନ ବିଭାଗ, ୟୁଏ (ପି) ଆକ୍ଟ ଏବଂ ରେଲୱେ ଆକ୍ଟର ବିଭିନ୍ନ ବିଭାଗ ଅଧିନରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।