କର୍ନାଲରୁ ଚାରି ଖଲିସ୍ତାନୀ ଆତଙ୍କବାଦୀ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ନୂଆଦିଲ୍ଲୀ : ଦେଶରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ହରିୟଣା ପୋଲିସ । ହରିୟାଣାର କର୍ନାଲରୁ ଚାରି ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ବହୁ ପରିମାଣର ଗୁଳିଗୋଳା ଏବଂ ବିସ୍ଫୋରକ ଭର୍ତି ବାକ୍ସ ମିଳିଛି । ଏହା ଆରଡିଏକ୍ସ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ସେମାନଙ୍କଠାରୁ ତିନୋଟି ଆଇଇଡି ବୋମା ମଧ୍ୟ ମିଳିଛି ।
କୁହାଯାଉଛି ଯେ ଏହି ଚାରିଜଣ ପଞ୍ଜାବ ସ୍ଥିତ ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଂଟରନ୍ୟାସନାଲ (ବିକେଆଇ) ସହିତ ଜଡିତ । ସେମାନଙ୍କୁ ଧରିବା ପାଇଁ ଆଇବି ପଞ୍ଜାବ ପୋଲିସ ଏବଂ ହରିୟାଣା ପୋଲିସ ତରଫରୁ ମିଳିତ ଅପରେସନ୍ କରାଯାଇଥିଲା । ଗିରଫ ଆତଙ୍କବାଦୀଙ୍କ ପାଖରେ ଅଧିକ ବିସ୍ଫୋରକ ଥିବା ସନ୍ଦେହରେ ସେମାନେ ବ୍ୟବହାର କରୁଥିବା ଗାଡ଼ିକୁ ରୋବଟ ଦ୍ୱାରା ଖୋଜାଖୋଜି କରାଯାଇଥିଲା । ସେମାନଙ୍କ ପାଖରୁ ଜବତ ଏତେ ମାତ୍ରାରେ ଗୁଳିଗୋଳା ଓ ବନ୍ଧୁକରୁ ସେମାନେ ରାଜଧାନୀ ଦିଲ୍ଲୀ ସହ ଦେଶରେ ଅନେକ ସ୍ଥାନରେ ବଡ଼ ଧରଣର ଆକ୍ରମଣ କରିବା ଯୋଜନାରେ ଥିଲେ ବୋଲି ସ୍ପଷ୍ଟ ହୋଇଛି । ଗିରଫ ଯୁବକଙ୍କ ନାମ ଗୁରୁପ୍ରୀତ, ଅମନଦୀପ, ପରମିନ୍ଦର, ଭୁପିନ୍ଦର ବୋଲି କର୍ନାଲ ପୋଲିସ ଏସପି ଗଙ୍ଗା ରାମ ପୁନିଆ ସୂଚନା ଦେଇଛନ୍ତି । ଖଲିସ୍ତାନୀ ଆତଙ୍କବାଦୀ ରିଣ୍ଡା ଏହି ସବୁ ଅସ୍ତ୍ରଶସ୍ତ୍ର ପାକିସ୍ତାନରୁ ଫିରୋଜପୁରକୁ ଡ୍ରୋନ୍ ମାଧ୍ୟମରେ ପଠାଇଥିଲେ । ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ତିନିଜଣ ଫିରୋଜପୁରର ଏବଂ ଜଣେ ଲୁଧିଆନାର ବାସିନ୍ଦା ।