ଆଜି ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ
- ପୈତୃକ ଗାଁରେ ହେବ ଅନ୍ତିମ ସଂସ୍କାର
- ସାମିଲ ହେବେ ଅମିତ ଶାହା-ରାଜନାଥ ସିଂହ
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ବିଗତ ଦିନର ରାଜ୍ୟପାଳ କଲ୍ୟାଣ ସିଂହଙ୍କ ଆଜି ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ । ପୈତୃକ ଗାଁ ବୁଲନ୍ଦସହର ଜିଲା ନରୌରାସ୍ଥିତ ରାଜଘାଟରେ କରାଯିବ ଅନ୍ତିମ ସଂସ୍କାର । କଲ୍ୟାଣ ସିଂହଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ମଧ୍ୟ ସାମିଲ ହେବେ । ସେହିପରି ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ।
କଲ୍ୟାଣ ସିଂହଙ୍କ ଅନ୍ତିମ ଯାତ୍ରା ସକାଳ ୯ଟାରୁ ଆଲିଗଡ଼ ଅହିଲ୍ୟାବାଇ ହେଲାକର ଷ୍ଟାଡିୟମରୁ ବାହାରିବ । ପରେ ତାଙ୍କର ପୈତୃକ ଗାଁ ଅତରୌଲୀ ହୋଇ ବୁଲନ୍ଦସହର ନରୌରାସ୍ଥିତ ରାଜଘାଟରେ ଅପରାହ୍ନ ୩ଟାରେ ପହଞ୍ଚିବ । ଅନ୍ୟପଟରେ ରାଜଘାଟରେ କଲ୍ୟାଣ ସିଂହଙ୍କ ଅନ୍ତିମ ସଂସ୍କାର ପାଇଁ ଚୂଡ଼ାନ୍ତ ପ୍ରକ୍ରିୟା ଶେଷ ହୋଇଛି । ସୂଚନା ଯେ, ଗତ ଶନିବାର ରାତିରେ ୮୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା ।