ପୁଣେରେ ପ୍ରଥମ ଜିକା ଭାଇରସ ଚିହ୍ନଟ, ଜଣେ ମହିଳା ସଂକ୍ରମିତ
ମୁମ୍ବାଇ : ଦେଶରେ ଏବେ ମହାମାରୀ କରୋନା ସଂକ୍ରମଣ କମି ନଥିବା ବେଳେ ମୁଣ୍ଡ ଟକିଲାଣି ଜିକା ଭାଇରସ୍। କେରଳ ପରେ ମହାରାଷ୍ଟ୍ରର ପୁଣେରେ ଜିକା ଭାଇରସ୍ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ପୁରନ୍ଦର ତହସିଲ ଅନ୍ତର୍ଗତ ବେଲସର ଗାଁରେ ରହୁଥିବା ୫୦ ବର୍ଷୀୟ ଜଣେ ମହିଳାଙ୍କ ପରୀକ୍ଷା ରିପୋର୍ଟରେ ଜିକା ଭୂତାଣୁ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ରହିଛି ।
ରିପୋର୍ଟ ଅନୁସାରେ, ମହିଳା ଜଣକ ଜିକା ସଂକ୍ରମଣ ବ୍ୟତୀତ ଚିକେନଗୁନିଆରେ ମଧ୍ୟ ପୀଡ଼ିତ ଥିଲେ । ଜିକା ଭାଇରସ ମାମଲା ପାଇବା ପରେ ଏକ ସରକାରୀ ଡାକ୍ତରୀ ଦଳ ବେଲସର ଗ୍ରାମ ପରିଦର୍ଶନ କରିଥିଲେ । ସେ ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କୁ ଭେଟି ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ନିର୍ଦ୍ଦେଶ ଦେଇଥିଲେ । ଏନେଇ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ, ଜିକା ଭାଇରସ ପାଇଁ ଚିନ୍ତା ନ କରିବା ସହ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ । ସଂକ୍ରମିତ ମହିଳା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଇଛନ୍ତି । ସେ ଏବଂ ତାଙ୍କ ପରିବାରରେ କୌଣସି ବ୍ୟକ୍ତିଙ୍କର ଜିକା ଭାଇରସ ଲକ୍ଷଣ ନାହିଁ । କିନ୍ତୁ ସଂକ୍ରମଣରୁ ବର୍ତ୍ତିବା ଲାଗି ସତର୍କ ରହିବାକୁ ହେବ ।