ଏଫ୍ଆଇଏଚ୍ ପ୍ରୋ ଲିଗ୍! ୨୦ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା, ମନ୍ପ୍ରୀତ୍ ସିଂହଙ୍କୁ ମିଳିଲା ନେତୃତ୍ବ
ଭୁବନେଶ୍ବର : ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ରେ ଏଫ୍ଆଇଏଚ୍ ପ୍ରୋ ଲିଗରେ ସ୍ପେନ୍ ଓ ଇଣ୍ଡିଆ ମଧ୍ୟରେ ଖେଳାଯିବ ମ୍ୟାଚ । ଏହି ମ୍ୟାଚ୍ ଆସନ୍ତା ୨୬ ଓ ୨୭ ତାରିଖରେ ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ୨୦ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରିଛି।
ଏଥିରେ ପୂର୍ବପରି ଅଭିଜ୍ଞ ମନ୍ପ୍ରୀତ୍ ସିଂହଙ୍କୁ ନେତୃତ୍ବଭାର ମିଳିଥିଲା ବେଳେ ଡ୍ରାଗ୍ଫ୍ଲିକ୍ ବିଶେଷଜ୍ଞ ହରମନପ୍ରୀତ୍ ସିଂହ ଉପଅଧିନାୟକ ରହିଛନ୍ତି। ନୂଆ ମୁହଁ ଭାବେ ଦଳରେ ପଞ୍ଜାବର ଉଦୀୟମାନ ଯୁବ ଫରୱାର୍ଡ ସୁଖଜିତ ସିଂହଙ୍କୁ ସ୍ଥାନ ମିଳିଛି। ଏହି ଦଳରେ ଓଡ଼ିଶାରୁ ୨ ଜଣ ଦୀପସାନ ତିର୍କି ଓ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ତେବେ ଅଲିମ୍ପିକ୍ କାଂସ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା ଓଡ଼ିଆ ପୁଅ ଅମିତ ରୋହିଦାସ ଷ୍ଟାଣ୍ଡବାଇରେ ରହିଛନ୍ତି। ହେଲେ ତାଙ୍କୁ କାହିଁକି ଏବଂ କେଉଁ କାରଣରୁ ଷ୍ଟାଣ୍ଡବାଏ ରଖାଯାଇଛି ସେଥିନେଇ କୌଣସି ସ୍ପଷ୍ଟ ସୂଚନା ହକି ଇଣ୍ଡିଆ କିମ୍ବା ଭାରତୀୟ ଦଳ ପକ୍ଷରୁ ଦିଆଯାଇନାହିଁ। ‘‘ଇଂଲଣ୍ଡଠୁ ହାରିବା ପରେ ଦଳ ଆମ ବିପକ୍ଷରେ ଭଲ କରିବାକୁ ଚେଷ୍ଟା କରିବ। ଚଳିତ ବର୍ଷର ବ୍ୟସ୍ତବହୁଳ ସୂଚୀ ଲାଗି ଏହି ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ’’ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍ କହିଛନ୍ତି।
ଭାରତୀୟ ଦଳ: ଗୋଲ୍ରକ୍ଷକ-ପିଆର୍ ଶ୍ରୀଜେସ, ସୁରଜ କର୍କେରା। ରକ୍ଷଣଭାଗ- ହର୍ମନପ୍ରୀତ ସିଂହ (ଉପଅଧିନାୟିକ), ମନଦୀପ ମୋର, ସୁରେନ୍ଦର କୁମାର, ବରୁଣ କୁମାର, ଜର୍ମନପ୍ରୀତ ସିଂହ, ଦୀପସାନ ତିର୍କି। ମଧ୍ୟଭାଗ-ମନ୍ପ୍ରୀତ ସିଂହ (ଅଧିନାୟିକ), ବିବେକ ପ୍ରସାଦ ସାଗର, ହାର୍ଦିକ ସିଂହ, ଯଶକରନ ସିଂହ, ସାମଶେର ସିଂହ, ନୀଳକାନ୍ତ ଶର୍ମା, ଆକାଶଦୀପ ସିଂହ। ଅଗ୍ରଭାଗ- ମନଦୀପ ସିଂହ, ଲଲିତ କୁମାର ଉପାଧ୍ୟାୟ, ଶିଳାନନ୍ଦ ଲାକ୍ରା, ସୁଖଜିତ ସିଂହ, ଅଭିଷେକ। ଷ୍ଟାଣ୍ଡବାଏ-କ୍ରିଷନ ବାହାଦୁର ପାଠକ, ଅମିତ ରୋହିଦାସ, ରାଜକୁମାର ପଲ, ମୋଇରାଙ୍ଗଥେମ ରବିଚନ୍ଦ୍ର ସିଂହ, ଦିଲପ୍ରୀତ ସିଂହ।