୧୫ ହଜାର କୋଟି ଟଙ୍କାର ଏଫଡିଆଇ ପ୍ରସ୍ତାବକୁ ମଞ୍ଜୁରୀ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଇନଫ୍ରାଷ୍ଟ୍ରକ୍ଚର ସେକ୍ଟରରେ ପ୍ରତ୍ୟେକ୍ଷ ବିଦେଶୀ ନିବେଶ (ଏଫଡିଆଇ)କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍(ଆର୍ଥିକ ବ୍ୟାପାର କମିଟି) ବୈଠକରେ କାନାଡର ପେନସନ୍ ଫଣ୍ଡର ସହଯୋଗୀ ଏନକରେଜ୍ ଇନଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟମେଣ୍ଟ ହୋଲ୍ଡିଂ ଲିମିଟେଡ୍ର ୧୫ ହଜାର କୋଟି ଟଙ୍କାର ଏଫଡିଆଇ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ଏହି ରାଶି ପରିବହନ ସହିତ ବିମାନବନ୍ଦର ସହ ଜଡ଼ିତ ସେବା ଏବଂ ବେସାମରିକ ଚଳାଚଳ ସମ୍ବନ୍ଧିତ ସେବାରେ ଉପଯୋଗ ହେବ। ଏହା ମାଧ୍ୟମରେ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ର ଅଂଶଧନକୁ ଏନକରେଜ୍ ଇନଫ୍ରାଷ୍ଟକଚର ଇନଭେଷ୍ଟମେଣ୍ଟ ହୋଲ୍ଡିଂ ଲିମିଟେଡ୍କୁ ହସ୍ତାନ୍ତର କରାଯିବ। ଏହା ବ୍ୟତୀତ ଓଣ୍ଟାରିଓ ଇଙ୍କ ଦ୍ବାରା ଏନକରେଜ୍ ଇନଫ୍ରାଷ୍ଟକଚର ଇନଭେଷ୍ଟମେଣ୍ଟ ହୋଲ୍ଡିଂ ଲିମିଟେଡ୍ରେ ୯୫୦ କୋଟି ଟଙ୍କା ନିବେଶ ମଧ୍ୟ ସାମିଲ ରହିଛି। ଓଣ୍ଟାରିଓ ଇଙ୍କ କାନାଡର ସବୁଠୁ ବଡ଼ ନିଶ୍ଚିତ ଲାଭ ଦେଉଥିବା ପେନସନ୍ ଯୋଜନାରୁ ଗୋଟିଏ। ଏହି ନିବେଶକୁ ବିଶେଷ ଭାବେ ଭିତ୍ତିଭୂମି ବିକାଶରେ ବିନିଯୋଗ କରାଯିବ ବୋଲି ଜଣାପଡ଼ିଛି। ଏହା ସହ ନିକଟରେ ସରକାର ଘୋଷଣା କରିଥିବା ନ୍ୟାସନାଲ୍ ମନିଟାଇଜେସନ୍ ପାଇପଲାଇନ୍କୁ ଗତି ମିଳିବା ସହ ରୋଜଗାର ବଢ଼ିବ ବୋଲି କୁହାଯାଉଛି। ଏନକରେଜ୍ ଇନଫ୍ରାଷ୍ଟକଚର ଇନଭେଷ୍ଟମେଣ୍ଟ ହୋଲ୍ଡିଂ ଲିମିଟେଡ୍ ପକ୍ଷରୁ ନ୍ୟାସନାଲ୍ ମନିଟାଇଜେସନ୍ ପାଇପଲାଇନ୍ ଜରିଆରେ କିଛି ସମ୍ପତ୍ତିରେ ନିବେଶ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।