ଜଳ ନିଷ୍କାସନ ସ୍ଥାୟୀ ସମାଧାନ ପାଇଁ ବିଧାୟକଙ୍କୁ ଭେଟିଲେ କୃଷକ ସଂଘ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କୃଷିକ୍ଷେତ୍ର ସୁରକ୍ଷା ସଂଘ ପକ୍ଷରୁ ବୁଧବାର ଦେହୁର୍ଦ୍ଦା ସ୍ଥିତ ବିଧାୟକ ଅନନ୍ତ ଦାସଙ୍କ ବାସଭବନରେ ଦକ୍ଷିଣ ଭୋଗରାଇର ୩୨ ପଞ୍ଚାୟତର ଜଳ ନିଷ୍କାସନର ସ୍ଥାୟୀ ସମାଧାନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା ।
ଭୋଗରାଇର ବନ୍ୟା ପ୍ରପୀଡ଼ିତ ୧୮ ପଞ୍ଚାୟତରେ ବର୍ଷା ଓ ବନ୍ୟାପାଣି ନିଷ୍କାସନର ସମସ୍ୟା ନଥିବା ବେଳେ ଦକ୍ଷିଣ ଭୋଗରାଇର ୩୨ ପଞ୍ଚାୟତର ବର୍ଷା ଜଳ ଜମିଯାଇ ନିଷ୍କାସନ ନହେବା ଦ୍ୱାରା ୨୦ବର୍ଷ ଧରି ଚାଷବାସ ଉଜୁଡ଼ି ଯାଉଥିବାରୁ ଚାଷୀକୂଳ ଆର୍ଥିକ ମାନଦଣ୍ଡ ଦୋହଲି ଯାଉଥିବାର କୃଷକ ସଂଘ ପକ୍ଷରୁ ବିଧାୟକଙ୍କୁ ଅବଗତ କରାଯାଇ ପ୍ରତିକାର ନିମନ୍ତେ ବିଧାୟକଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଥିଲା । ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଅନନ୍ତ ଦାସ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେବା ସହିତ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ଅଲୋଚନା କରି ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରାଥମିକତା ଦେବେ ବୋଲି ପ୍ରକାଶ କରିଥିଲେ । ଲୋକଙ୍କ ଦାବି ଓ ସେ ନିଜେ ବାରମ୍ବାର ଜଳସମ୍ପଦ ବିଭାଗକୁ ସମସ୍ୟା ସମ୍ପର୍କରେ ଅବଗତ କଲାପରେ ଜଳସମ୍ପଦ ବିଭାଗ ପକ୍ଷରୁ ଜଳ ନିଷ୍କାସନ ପାଇଁ ୧୬୦ କୋଟି ୭ଲକ୍ଷ ଟଙ୍କାର ଡିପିଆର୍ କାର୍ଯ୍ୟକାରୀ ପାଇଁ ମାଷ୍ଟରପ୍ଲାନ ହୋଇଥିବାର ବିଧାୟକ ପ୍ରକାଶ କରିଥିଲେ । ତେବେ ଏକ୍ସପର୍ଟ କମିଟିର ପ୍ରସ୍ତୁତି ହୋଇଥିବା ୧୬୦କୋଟି ୭ଲକ୍ଷ ଟଙ୍କା କାର୍ଯ୍ୟକୁ ନେଇ ଅର୍ଥ ବିଭାଗ ଟାଳଟୁଳ ନୀତି ଯୋଗୁଁ ଜଳ ନିଷ୍କାସନର ସ୍ଥାୟୀ ସମାଧାନ ହୋଇପାରୁ ନଥିବାର ସଂଶୟ ଦେଖା ଦେଇଛି । ଏହି ଆଲୋଚନାରେ ଜଳ ନିଷ୍କାସନ ନିମନ୍ତେ କୃଷକ ସଂଘ ପକ୍ଷରୁ ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦ, ପଙ୍କଜାକ୍ଷ ପଣ୍ଡା, ସନ୍ତୋଷ କୁମାର ଜେନା, ସଦାଶିବ ସାମଲ, ନୀଳକଣ୍ଠ ଭଞ୍ଜ, ଶ୍ରୀନିବାସ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।