ଶତକ ମାରିବାରେ ପୁଣି ଫେଲ୍ ବିରାଟ, ଅଧା ରହିଲା ବିଶ୍ୱ ରେକର୍ଡ ସ୍ୱପ୍ନ
- ଶତକ କରିପାରିଲେନି ହେଲେ ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି
ମୁମ୍ବାଇ : ଶତକ ମାରିବାରେ ପୁଣି ଫେଲ୍ ମାରିଲେ ବିରାଟ କୋହଲି। ଗୁରୁବାର ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍ ଫାଇଟ୍ରେ ବିରାଟ ପୁଣିଥରେ ଶତକରୁ ବଞ୍ଚିତ ହୋଇଛନ୍ତି। ସେ ମାତ୍ର ୮୮ ରନ୍ରେ ଦିଲଶାନ ମଧୁଶଙ୍କା ବଲ୍ରେ କୁଶାଲ ମେଣ୍ଡିସ୍ଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଛନ୍ତି। ଆଜି ଯଦି ସେ ଶତକ ହାସଲ କରିଥାନ୍ତେ ତେବେ ସେ ଦିନିକିଆରେ ୪୯ ତମ ଶତକ ମାରି ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଥାନ୍ତେ, ହେଲେ ତାଙ୍କ ସ୍ୱପ୍ନ ପୁଣି ଅଧୁରା ରହିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୪୮ ଶତକ ହାସଲ କରିଛନ୍ତି। ତେବେ ତା ପୂର୍ବରୁ ବିରାଟ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ୨୦୨୩ ଦିନିକିଆରେ ୧୦୦୦ ରନ୍ ପୂରା କରିଥିବା ବିରାଟ ତୃତୀୟ ବ୍ୟାଟର ହୋଇଛନ୍ତି। କେବଳ ସେତିକି ନୁହେଁ, ଦିନିକିଆରେ ସର୍ବାଧିକ ଥର ୧୦୦୦ ରନ୍ ପୂରା କରିବାରେ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି ବିରାଟ କୋହଲି।
ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍ ଫାଇଟ୍ରେ ଗୁରୁବାର ବିରାଟ ଚଳିତ ବର୍ଷ ପାଇଁ ଦିନିକିଆରେ ୧୦୦୦ ରନ୍ ପୂରା କରିଛନ୍ତି। ତାଙ୍କ ପୂର୍ବରୁ ପ୍ରଥମେ ଶୁଭମନ ଗିଲ୍ ଓ ରୋହିତ ଶର୍ମା ଚଳିତ ବର୍ଷ ଦିନିକିଆରେ ୧୦୦୦ ରନ୍ ପୂରା କରି ସାରିଛନ୍ତି। ସେହିପରି ଶ୍ରୀଲଙ୍କାର ପାଥୁମ ନିଶଙ୍କା ମଧ୍ୟ ଚଳିତ ବର୍ଷ ୧୦୦୦ ରନ୍ ପୂରା କରିସାରିଛନ୍ତି। ସେହି ଦୃଷ୍ଟିରୁ ବିରାଟ ବିଶ୍ୱର ଚତୁର୍ଥ ବ୍ୟାଟର, ଯିଏ ଏହି ସଫଳତା ପାଇଛନ୍ତି। ୩୪ ବର୍ଷୀୟ ବିରାଟ ତାଙ୍କର ୨୩ ତମ ଦିନିକିଆ ମ୍ୟାଚ୍ରେ ଏହି ଉପଲବ୍ଧି ହାସଲ କରିଥିବା ବେଳେ ଦିନିକିଆରେ ବର୍ଷକରେ ସର୍ବାଧିକ ଥର ୧୦୦୦ ରନ୍ ପୂରା କରିବାରେ ସେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି। ବିରାଟ ସର୍ବାଧିକ ୮ ଥର ୨୦୧୧, ୨୦୧୨, ୨୦୧୩, ୨୦୧୪, ୨୦୧୭, ୨୦୧୮, ୨୦୧୯ ଏବଂ ୨୦୨୩ ବର୍ଷରେ ଦିନିକିଆରେ ୧୦୦୦ ରନ୍ ପୂରା କରିଥିଲେ। ଅନ୍ୟପଟେ ସଚିନ୍ ତେନ୍ଦୁଲକର ଦିନିକିଆରେ ଗୋଟିଏ ଗୋଟିଏ ବର୍ଷରେ ୭ ଥର ୧୦୦୦ ରନ୍ ପୂରା କରିଛନ୍ତି। ସଚିନ-୧୯୯୪, ୧୯୯୬, ୧୯୯୭, ୧୯୯୮,୨୦୦୦,୨୦୦୩ ଏବଂ ୨୦୦୭ ବର୍ଷ ଗୁଡ଼ିକରେ ୧୦୦୦ ଲେଖାଏ ସ୍କୋର କରିଥିଲେ। ସଚିନଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ ବିରାଟଙ୍କୁ ଆଉ ମାତ୍ର ୩୪ ରନ୍ର ଆବଶ୍ୟକ ଥିଲା। ହେଲେ ଗୁରୁବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଏହି ମାଇଲଖୁଣ୍ଟ ପାର୍ କରିଛନ୍ତି ବିରାଟ।
ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ନିଜ କ୍ୟାରିୟରରେ ଅଲୋଡ଼ା ରେକର୍ଡ କରିଥିଲେ ବିରାଟ କୋହଲି। ଲକ୍ଷ୍ନୌରେ ଇକାନା ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବିରାଟ ପ୍ରଥମ ଥର ପାଇଁ ବିଶ୍ୱକପ୍ରେ କୌଣସି ରନ୍ ନ କରି ଆଉଟ୍ ହୋଇଯାଇଥିଲା। ଏହା ପୂର୍ବରୁ ବିରାଟ କେବେ ବି ଶୂନରେ ଆଉଟ୍ ହୋଇ ନଥିଲେ। ହେଲେ ତା ପୂର୍ବରୁ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିବା ସହ ନଟ୍ଆଉଟ୍ ରହିଥିଲେ ବିରାଟ। ଫଳରେ ପୁଣିରେ ଭାରତ ବାଲାଂଦେଶକୁ ୭ ୱିକେଟ୍ରେ ପରାସ୍ତ କରିଥିଲା। ପୁଣି ହିମାଚଳ ପ୍ରଦେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ବିରାଟ ୯୫ ରନ୍ର ବଡ଼ ସ୍କୋର କରିଥିଲେ। ଏଥିରେ ଭାରତ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍ରେ ପରାସ୍ତ କରିଥିଲା। ସେହିପରି ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିରୋଧରେ ଅର୍ଦ୍ଧଶତକ ହାସଲ କରିଥିଲେ ବିରାଟ କୋହଲି।
ଦିନିକିଆରେ ୪୯ ତମ ଶତକ ହାସଲ କରିବାରେ ବିଫଳ ହେଲେ ବି ବିରାଟ କୋହଲି ତାଙ୍କ କ୍ୟାରିୟରରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସେ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୨୬ ହଜାର ରନ୍ ପୂରା କରିଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, କୁମାର ସାଙ୍ଗାକାର, ଓ ରିକି ପଣ୍ଟିଂ ଏହି ମାଇଲ୍ ଖୁଣ୍ଟ ଅତିକ୍ରମ କରିସାରିଛନ୍ତି।