ଲୁଧିଆନା ଜିଲାକୋର୍ଟରେ ବୋମା ବିସ୍ପୋରଣ : ଜଣେ ମୃତ, ଅନେକ ଗୁରୁତର
ଚଣ୍ଡିଗଡ଼ : ପଞ୍ଜାବର ଲୁଧିଆନା ଜିଲ୍ଲାକୋର୍ଟରେ ବିସ୍ଫୋରଣ ହୋଇଛି । କୋର୍ଟର ଦ୍ବିତୀୟ ମହଲାର ଶୌଚାଳୟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଆହତଙ୍କ ମଧ୍ୟରେ ଆଇନଜୀବୀ ଆର.ଏସ ମନ୍ଦ ରହିଥିବା ସୂଚନା ମିଳିଛି ।
କୋର୍ଟର ଦ୍ବିତୀୟ ମହଲାରେ ମୋଟ ୮ଟି ରୁମ ରହିଛି । ପୋଲିସ ଏବେ କୋର୍ଟ ପରିସରକୁ ଘେରି ରହିଥିବା ବେଳେ ସେଠାରୁ ଲୋକଙ୍କୁ ଖାଲି କରୁଥିବା ଦେଖିବାକୁ ମିଳିଛି । ସୂଚନା ଥାଉ କି ଗୁରୁବାର ଆଇନଜୀବୀମାନେ ଘଟଣାସ୍ଥଳରେ ଧାରଣା ଦେଇଥିବାରୁ ପୂର୍ବାପେକ୍ଷା କୋର୍ଟ ପରିସରରେ ଅନେକ ଆଇନଜୀବୀ ଉପସ୍ଥିତ ରହିଥିଲେ । ଏହି ବିସ୍ଫୋରଣ ମଧ୍ୟାହ୍ନ ପ୍ରାୟ ୧୨ଟା ୨୫ ମିନିଟର ହୋଇଥିଲା ।
ଏହି ବିସ୍ଫୋରଣ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । କାରଣ କୋର୍ଟର ଦ୍ବିତୀୟ ମହଲାରେ କ୍ୟାଣ୍ଟିନ ରହିଛି । କିନ୍ତୁ ବିସ୍ଫୋରଣ କୋର୍ଟର ବାର୍ଥରୁମରେ ହୋଇଥିବାରୁ ଏହା ଅନ୍ୟ କୌଣସି କାରଣ ଯୋଗୁଁ ହୋଇଥାଇପାରେ ବୋଲି କୁହାଯାଉଛି । ପୋଲିସ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି । ବିସ୍ଫୋରଣଟି ଏତେ ଜୋରରେ ହୋଇଥିଲା ଯେ, ଶୌଚାଳୟଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହେବା ସହ ଅନେକ ରୁମ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ତେବେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଉପସ୍ଥିତ ରହିଛନ୍ତି । ସେପଟେ ଘଟଣାକୁ ନେଇ ଆସିଛି ଲୁଧିଆନା କମିଶନର ଗୁରପ୍ରିତ ଭୁଲ୍ଲାରଙ୍କ ପ୍ରତିକ୍ରିୟା । ଘଟଣାସ୍ଥଳରେ ଚଣ୍ଡିଗଡ଼ ବୋମା ନିଷ୍କ୍ରିୟକାରୀ ଦଳ ଓ ଫରେନସିକ ଟିମ ପହଞ୍ଚିସାରିଛି । ଏଣୁ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।