ବାଲେଶ୍ୱର : ନବଦମ୍ପତିଙ୍କ ପରିବେଶ ଚିନ୍ତା, ବିବାହ ଭୋଜିରେ ବାଣ୍ଟିଲେ ଚାରା
ବାଲେଶ୍ୱର : ନବଦମ୍ପତିଙ୍କୁ ଘାରିଛି ପରିବେଶ ଚିନ୍ତା । ଅବକ୍ଷୟମୁଖି ପରିବେଶକୁ ସଜାଡ଼ିବା ପାଇଁ କରିଛନ୍ତି ପ୍ରୟାସ । ନିଜ ବିବାହ ଭୋଜି ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କୁ ଚାରାଗଛ ବାଣ୍ଟି ପରିବେଶପ୍ରେମୀର ପରିଚୟ ଦେଇଛନ୍ତି ଏହି ନବାବିବାହିତ ଦମ୍ପତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବସ୍ତା ବ୍ଲକ ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ବାଖରାବାଦ ଗ୍ରାମରେ ।
ରାଜକିଶୋର ମହାପାତ୍ରଙ୍କ ପୁଅ ସୂର୍ଯ୍ୟକାନ୍ତଙ୍କର ମଙ୍ଗଳବାର ଥିଲା ବିବାହ ଉତ୍ସବ । ଶୁକ୍ରବାର ଆୟୋଜିତ ବିବାହ ଭୋଜିରେ ବନ୍ଧୁବାନ୍ଧବ, ଗାଁ ଲୋକେ ଓ ନିମନ୍ତ୍ରିତ ଅତିଥିଙ୍କ ଭିଡ଼ ଜମିଥିଲା । ସୂର୍ଯ୍ୟକାନ୍ତ ଓ ପତ୍ନୀ ନର୍ମଦା ଅତିଥିମାନଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ବୁଝାଇବା ସହ ବିଭିନ୍ନ କିସମର ଚାରା ବାଣ୍ଟିଥିଲେ । ଚାରା ଲଗାଇ ଯତ୍ନ ନେବାକୁ ନିବେଦନ କରିଥିଲେ । ନବଦମ୍ପତିଙ୍କ କହିବାକଥା ସମ୍ପ୍ରତି ଅମ୍ଳଜାନ ଅଭାବକୁ ପୂରଣ କରିବା, ଅବାଧ ଗଛ କଟାକୁ ରୋକିବା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା, ନିୟମିତ ବର୍ଷା ପାଇଁ ସବୁଜ ପରିବେଶ ସୃଷ୍ଟି କରାଗଲେ ପରିବେଶ ସୁରକ୍ଷା ସମ୍ଭବ ବୋଲି ବିବାହ ଭୋଜିରେ ଚାରା ବାଣ୍ଟିବା ନିଷ୍ପତ୍ତି ନେଇଥିଲୁ । ସୂର୍ଯ୍ୟକାନ୍ତ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ବେଳେ ତାଙ୍କ ପତ୍ନୀ ସ୍ୱାସ୍ଥ୍ୟ ବିଭାଗରେ ନର୍ସ ଭାବେ ନିଯୁକ୍ତି ପାଇଛନ୍ତି ।