ଏମ୍ସରେ ବିରୋଧୀ ଦଳ ନେତାଙ୍କୁ ଭେଟିଲେ ଶକ୍ତିମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ଏମ୍ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସାକ୍ଷାତ କରିଛନ୍ତି । ସେଠାରେ ଉଭୟ ମନ୍ତ୍ରୀ ପ୍ରାୟ ଅଧଘଂଟା ରହି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରାୟ ଛଅମାସ ତଳେ କୋଭିଡ୍ରେ ଆକ୍ରାନ୍ତ ହୋଇ ଶ୍ରୀ ନାୟକ ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି । ମଝିରେ ତାଙ୍କ ସ୍ୱାସ୍ଥ୍ୟ ଅତି ଗୁରୁତର ହେବା ଯୋଗୁଁ ବହୁଦିନ ଯାଏଁ ଭେଂଟିଲେଟରରେ ରଖାଯାଇଥିଲା । ଏବେ ସେ ଭେଂଟିଲେଟରରୁ ବାହାରି ଥିଲେ ହେଁ ସ୍ୱାସ୍ଥ୍ୟ ଅତ୍ୟନ୍ତ ଦୁର୍ବଳ ଥିବା ଯୋଗୁଁ ସମ୍ପୂର୍ଣ୍ଣ ସୁସ୍ଥ ନହେବା ଯାଏଁ ବିଶେଷଜ୍ଞ ଡାକ୍ତରଙ୍କ ତତ୍ୱାବଧାନରେ ରହିବେ ବୋଲି ଜଣାପଡ଼ିଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନାୟକଙ୍କ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଶ୍ରୀ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝୁଛନ୍ତି ବୋଲି କହିଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିରୋଧୀ ଦଳ ନେତାଙ୍କୁ ନୂଆଖାଇର ଅଭିନନ୍ଦନ ଆଗୁଆ ଜଣାଇବା ସହିତ ସମଗ୍ର କଳାହାଣ୍ଡିବାସୀ ଶ୍ରୀ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରୁଥିବା ଜଣାଇଥିଲେ । ନିଜ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବା ସହ ସମ୍ପୂର୍ଣ୍ଣ ସୁସ୍ଥ ନହେବାଯାଏଁ ନିଜକୁ ବାହ୍ୟ ବାତାବରଣରୁ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । କଳାହାଣ୍ଡି ଜିଲାବାସୀଙ୍କ ଶୁଭେଚ୍ଛା ତାଙ୍କ ସହିତ ରହିଛି ବୋଲି ଜଣାଇ ଶିଳ୍ପମନ୍ତ୍ରୀ ବିରୋଧୀ ଦଳ ନେତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।