ଏଣିକି ଅଗ୍ନିଶମ ସେବା ପାଇଁ ଜରୁରୀ ନମ୍ବର ୧୧୨
ଭୁବନେଶ୍ୱର : ରାଜ୍ୟରେ ଜରୁରୀ ସମୟରେ ଅଗ୍ନିସେବା ବିଭାଗର ସହାୟତା ନେବାକୁ ପୂର୍ବରୁ ୧୦୧ ନମ୍ବର ଡାଏଲ କରିବାକୁ ପଡୁଥିଲା। ଏବେ ସେହି ନମ୍ବର ପରିବର୍ତ୍ତନ କରାଯାଇ ୧୧୨ କରାଯାଇଛି। ଅର୍ଥାତ ଓଡ଼ିଶା ପୁଲିସ ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଜରୁରୀକାଳୀନ ନମ୍ବର ୧୧୨ ସହିତ ପୂର୍ବର ୧୦୧ର ମିଶ୍ରଣ କରାଯାଇଛି। ସେଥିପାଇଁ ରାଜ୍ୟବାସୀ ସେମାନଙ୍କର ଜରୁରୀ ସମୟରେ ଅଗ୍ନିଶମ ସେବା ବିଭାଗର ସହାୟତା ନେବାକୁ ଚାହୁଁଥିଲେ ୧୧୨ ନମ୍ବରକୁ ଡାଏଲ କରିବାକୁ ଓଡ଼ିଶା ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।
ରାଜ୍ୟରେ ଲାଗୁ ହୋଇଛି ହୋଇଛି ଏମରଜେନସି ରେସପନ୍ସ ସପୋର୍ଟ ସିଷ୍ଟମ (ଇଆରଏସଏସ) ସେବା ୧୧୨। ଏଣିକି ଅଗ୍ନିଶମ ବିଭାଗ ବା ଦମକଳବାହିନୀର ସହୟତା ପାଇଁ ୧୦୧ ବଦଳରେ ସିଧାସଳଖ ଲୋକ ୧୧୨କୁ କଲ କରିପାରିବେ। ଏଣିକି କେବଳ ୧୧୨ ହିଁ ଏକମାତ୍ର ଜରୁରୀ ସେବା ନମ୍ବର ରହିବ। ଏହି ସେବା ଦ୍ବାରା ମହିଳା ଓ ବରିଷ୍ଠ ନାଗରିକମାନେ ବିଶେଷ ଭାବେ ଉପକୃତ ହେବେ। ଜରୁରୀ ସମୟରେ ଏହି ନମ୍ବରକୁ ଫୋନ କଲେ ତୁରନ୍ତ ସେବା ମିଳିପାରିବ। ସେହିଭଳି ପୂର୍ବରୁ ଜରୁରିକାଳୀନ ପୁଲିସ ସହାୟତା ପାଇଁ ୧୦୦ ନମ୍ବର ମଧ୍ୟ ଏହା ସହିତ ମିଶାଇ ଦିଆଯାଇଛି। ଏ ନେଇ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘୧୧୨’ ଇଣ୍ଡିଆ ମୋବାଇଲ ଆପ୍କୁ ଡାଉନଲୋଡ କରିବାକୁ କୁହାଯାଇଛି। ଏହି ଆପ୍ ମାଧ୍ୟମରେ ଜଣେ ବ୍ୟକ୍ତି ନିଜର ନାମ ପଞ୍ଜୀକରଣ କରିବା ସହିତ ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି। ତେଣୁ ଲୋକମାନେ ୧୦୧ ବଦଳରେ ୧୧୨କୁ ଫୋନ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ନିବେଦନ କରାଯାଇଛି।