ଏଲିଜାବେଥ ମର୍ଡର ମିଷ୍ଟ୍ରି : ଦୋଷ ସ୍ୱୀକାର କଲେ ୫୦୦ ଜଣ, ୭୪ ବର୍ଷ ପରେ ବି ସମସ୍ତେ ନିର୍ଦ୍ଦୋଷ
ନୂଆଦିଲ୍ଲୀ : ୧୯୪୭ ମସିହାରେ, ଆମେରିକାର ଲସ୍ ଆଞ୍ଜେଲସରେ ଏକ ସୁନ୍ଦର ଯୁବତି (ଏଲିଜାବେଥ୍ ସର୍ଟ) ଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ସୁନ୍ଦରୀଙ୍କୁ ଦୁଇ ଖଣ୍ଡରେ କାଟି ହତ୍ୟା କରାଯାଇଥିଲା। ଏଲିଜାବେଥ୍ ସର୍ଟ ହତ୍ୟାକାଣ୍ଡରେ ଆଜି ପର୍ଯ୍ୟନ୍ତ ୫୦୦ରୁ ଅଧିକ ଲୋକ ଅପରାଧ ସ୍ୱୀକାର କରିଛନ୍ତି। କିନ୍ତୁ ହତ୍ୟାକାଣ୍ଡର ୭୪ ବର୍ଷ ପରେ ମଧ୍ୟ ପୋଲିସ ଏହି ମାମଲାର ପ୍ରକୃତ ଅପରାଧୀଙ୍କୁ ଧରିପାରି ନାହିଁ। ଏପରିକି ଏଲିଜାବେଥଙ୍କୁ କାହିଁକି ହତ୍ୟା କରାଯାଇଥିଲା ପୋଲିସ ତାହା ମଧ୍ୟ ଜାଣିପାରି ନଥିଲା।
‘ଦି ଗାର୍ଡିଆନ୍’ର ରିପୋର୍ଟ ଅନୁଯାୟୀ, ୧୯୨୪ ଜୁଲାଇ ୨୯ରେ, ମାସାଚୁସେଟ୍ସର ବୋଷ୍ଟନରେ ଏଲିଜାବେଥ ସର୍ଟଙ୍କ ଜନ୍ମ ହୋଇଥିଲା। ତାଙ୍କର ଡାକନାମ ଥିଲା ‘ବ୍ଲାକ୍ ଡାଲିଆ’। ଛୋଟବେଳୁ ଚଳଚ୍ଚିତ୍ର ପାଇଁ ସର୍ଟଙ୍କର ବହୁତ ଭଲପାଇବା ଥିଲା। ଯେତେବେଳେ ସେ ବଡ ହେଲେ, ସେ ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖିବା ଆରମ୍ଭ କଲେ। ୧୯୪୦ ମସିହାରେ ମାତ୍ର ୧୬ ବର୍ଷ ବୟସରେ ସେ କାଲିଫର୍ନିଆର ଲସ୍ ଆଞ୍ଜେଲସକୁ ଯାଇ ଜୀବନଯାପନ ଆରମ୍ଭ କଲେ। ସେଠାରେ ସେ ହଲିଉଡ ଫିଲ୍ମରେ କାମ କରିବାର ସୁଯୋଗକୁ ଅପେକ୍ଷା କରିଥିଲେ।
ଏଲିଜାବେଥ୍ ଚାକିରି ନ ପାଇବା ପର୍ଯ୍ୟନ୍ତ, ସେ ଜଣେ ୱେଟ୍ରେସ୍ ଭାବରେ କାମ କରିବାକୁ ସ୍ଥିର କଲେ। କିନ୍ତୁ ୯ ଜାନୁଆରୀ ୧୯୪୭ରେ ହଠାତ୍ ସବୁକିଛି ବଦଳିଗଲା। ଏଲିଜାବେଥ୍ ସର୍ଟ ହଠାତ୍ ଅଦୃଶ୍ୟ ହୋଇଗଲେ। ପାଞ୍ଚ ଦିନ ପରେ, ସାଉଥ୍ ନର୍ଟନ୍ ଆଭେନ୍ୟୁର ୩୮୦୦ ବ୍ଲକରେ ଅବସ୍ଥିତ ଲେମର୍ଟ ପାର୍କ ନିକଟରେ ଏଲିଜାବେଥ୍ ସର୍ଟଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ପୋଲିସ ପାଇଥିଲା। ତାଙ୍କ ମୁହଁ, ପାଟିରୁ କାନକୁ ଚିରି ଦିଆଯାଇଥିଲା ଏବଂ ଶରୀରକୁ ଅଣ୍ଟାରୁ ଦୁଇ ଭାଗରେ କାଟି ଦିଆଯାଇଥିଲା।
ଏଲିଜାବେଥଙ୍କ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭରେ, ୬୦ ଜଣ ପୋଲିସ ନିକଟରେ ଏହି ନିର୍ଦ୍ଦୟ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ତେବେ ସେମାନଙ୍କ ଅପରାଧ ପ୍ରମାଣିତ ହୋଇ ନ ଥିବାରୁ ପୋଲିସ ସମସ୍ତଙ୍କୁ ମୁକ୍ତ କରିଥିଲା। ଏହା ପରେ, ଅନେକ ଲୋକ ଏହି ହତ୍ୟା ମାମଲାରେ କ୍ରମାଗତ ଭାବରେ ଆଗକୁ ଆସିଥିଲେ ଏବଂ ସେମାନେ ହତ୍ୟା ଅପରାଧକୁ ସେମାନଙ୍କ ମୁଣ୍ଡରେ ନେଇଥିଲେ। ତଥାପି, ଏଠାରେ ମଧ୍ୟ ଏହା ପ୍ରମାଣିତ ହୋଇପାରିଲା ନାହିଁ ଯେ, ହତ୍ୟା ସେମାନଙ୍କ ମଧ୍ୟରୁ କିଏ କରିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଏହି ଲୋକମାନଙ୍କ ମଧ୍ୟରୁ ଅନେକ ଏଲିଜାବେଥ୍ ହତ୍ୟାକାଣ୍ଡ ପରେ ଜନ୍ମ ହୋଇଥିଲେ। ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ଲୋକ ଆଗକୁ ଆସି ଏହି ମାମଲାରେ ସ୍ୱୀକାର କରିଛନ୍ତି, କିନ୍ତୁ ଏହି ମାମଲାରେ କାହାକୁ ଦଣ୍ଡ ଦିଆଯାଇ ନାହିଁ।