ବ୍ୟୟବହୁଳ ହେଉଛି ନିର୍ବାଚନ, ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା : ସେଣ୍ଟର ଫର୍ ମିଡିଆ ଷ୍ଟଡିଜ
ନୂଆଦିଲ୍ଲୀ: ବ୍ୟୟବହୁଳ ହେଉଛି ନିର୍ବାଚନ । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଆମେ ଭାରତ କଥା କହୁଛୁ । ଭାରତରେ ନିର୍ବାଚନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ସମସ୍ତ ରାଜନୈତିକ ଦଳ ପାଣି ଭଳି ଅର୍ଥ ଖର୍ଚ୍ଚ କରିଥାନ୍ତି । ଏକଥା ଆମେ କହୁନୁ । ସେଣ୍ଟର ଫର୍ ମିଡିଆ ଷ୍ଟଡିଜ ଏକ ରିପୋର୍ଟରେ ଏନେଇ ପ୍ରକାଶ ପାଇଛି । ନିର୍ବାଚନ ଆୟୋଗଙ୍କୁ ବିଭିନ୍ନ ରାଜନୌତିକ ଦଳ ଦେଇଥିବା ସୂଚନା ଆଧାରରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି ।
ସେଣ୍ଟ୍ର ଫର୍ ମିଡିଆ ଷ୍ଟଡିଜର ରିପୋର୍ଟ ଅନୁସାରେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାପୂର୍ବରୁ ୨୦୧୪ ସାଧାରଣ ନିର୍ବାଚନରେ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଚଳିତ ଉତ୍ତର ପ୍ରଦେଶର ନିର୍ବାଚନରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । କେବଳ ବିଜେପି ୨୦୧୫ରୁ ୨୦୧୯ ମଧ୍ୟରେ ୩ ହଜାର ୫୮୫ କୋଟି ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିଛି । କଂଗ୍ରେସ ୧ହଜାର ୪୦୫ କୋଟି ଖର୍ଚ୍ଚ କରିଛି । ଏତତ୍ ବ୍ୟତୀତ ୨୦୧୯-୨୦ରେ ବିଜେପିକୁ ୩ହଜାର ୬୨୩ କୋଟି ଟଙ୍କା ମିଳିଛି । ଏଥିରୁ ୨୫୫୫ ଟଙ୍କା ନିର୍ବାଚନୀ ବଣ୍ଡ୍ ଆକାରରେ ମିଳିଛି । କଂଗ୍ରେସକୁ ୩୧୭ କୋଟି ଟଙ୍କା ବଣ୍ଡ୍ ଆକାରରେ ମିଳିଛି । ଅନ୍ୟ ଦଳଙ୍କୁ ୬୮୨ କୋଟି ଟଙ୍କା ମିଳିଛି । ବଣ୍ଡ୍ ବ୍ୟତୀତ ଡୋନେସନ, କ୍ରାଉଡ ଫଣ୍ଡିଂ, ମେମ୍ବରସିପ୍ ଆଦିରୁ ରାଜନୈତିକ ଦଳ ବିପୁଳ ଅର୍ଥ ପାଇଛନ୍ତି ।
ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ୨୦ କୋଟିର ନଗଦ ଅର୍ଥ ଜବତ ହୋଇଛି । କେବଳ ଉତ୍ତର ପ୍ରଦେଶରୁ ୧୯୧ କୋଟି ଟଙ୍କା ଜବତ କରାଯାଇଛି । ୨୦୧୭ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶରୁ ୧୧୫ କୋଟି ଟଙ୍କା ଜବତ କରାଯାଇଥିଲା । ୨୦୨୧ରେ ଦେଶରେ ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପଣ୍ଡିଚେରୀରେ ନିର୍ବାଚନ ହୋଇଥିଲା । ଏଥିରେ ରାଜନୈତିକ ଦଳମାନେ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିଲେ । କେବଳ ବିଜେପି ୨୫୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଦ୍ୱିତୀୟ ସ୍ଥାନରେ ତୃଣମୂଳ କଂଗ୍ରେସ ଥିଲା । ଟିଏମସି ୧୫୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ବଳେ କଂଗ୍ରେସ ପ୍ରାୟ ୮୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।