ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ବର୍ଗ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସୋମବାର ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ବର୍ଗ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ଖେଳ ପ୍ରକୃତିଦତ୍ତ ଦିବ୍ୟ ପ୍ରତିଭା ଓ ଦିବ୍ୟ ଜ୍ଞାନ, ତାର ସ୍ପର୍ଶ ଯା ଦେହରେ ବାଜିଯାଏ ସେ ଖେଳ ଜଗତରେ ମହାନ୍ ହୋଇଯାଏ । ପ୍ରକୃତିତତ୍ତ୍ୱ ଅନୁସାରେ ମାନବ ଠାରେ କ୍ରୀଡ଼ା ପ୍ରତିଭାର ଅଭାବ ନାହିଁ, ସୂଯୋଗ ମିଳିଲେ ଏମାନେ ବିଶ୍ୱବିଜୟୀ ହୋଇ ରାଷ୍ଟ୍ରର ଗୌରବ ବୃଦ୍ଧିରେ ସହାୟକ ହୋଇପାରିବେ । ସେ ଯେକୌଣସି ପ୍ରକାରର ଖେଳ ହେଉନା କାହିଁକି ତାର ମୌଳିକ ଉଦ୍ଦେଶ୍ୟ ହେଉଛି ଆନନ୍ଦ ଦାନ । ଉଭୟ ଖେଳାଳୀ ଓ ଦର୍ଶକଙ୍କର ଚିତ୍ତ ଲୋକରେ ଖେଳ ଆହ୍ଲାଦମୟ ଚରମ ଅନୁଭୂତି ଆଣିଦେଉଥିବା ହେତୁ କ୍ରୀଡ଼ା ପରମ୍ପରା କେଉଁ ଆବାହମାନ କାଳରୁ ଭାରତୀୟ ସାଂସ୍କୃତିକ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି ବୋଲି କହି ଆମ ରାଷ୍ଟ୍ରୀୟ ଖେଳ ଗୁଡ଼ିକର ନାମ ଦିଗ ଉନ୍ମୋଚନ ପୂର୍ବକ ତାର ବିଶେଷତ୍ର ସମ୍ପର୍କରେ ଶ୍ରୀ ଷଡଙ୍ଗୀ ପ୍ରଭାବଶାଳୀ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏକ ସଂରଚନାତ୍ମକ ମାନସିକତା ନେଇ ଶୃଙ୍ଖଳିତ ଭାବରେ ଖେଳ ଖେଳିବାର ଉପଯୋଗୀତା ଦର୍ଶାଇ ଜାତୀୟ ଜୀବନରେ ଖୋ ଖୋ ଖେଳର ପ୍ରାସଙ୍ଗିକତା ଓ ବ୍ୟକ୍ତିଗତ ଜୀବନରେ ତାର ଉପକାରିତା ସମ୍ପର୍କରେ ନିଜ ମତ ପ୍ରକାଶ କରିଥିଲେ । ପ୍ରାଚୀନ ଭାରତର କ୍ରୀଡ଼ା ପରମ୍ପରାର ମହାନୀୟତା ସ୍ମରଣ କରି ସାମ୍ପ୍ରତିକ ସମୟ ଖଣ୍ଡରେ ଖେଳର ବାର୍ତ୍ତମାନିକ ସ୍ଥିତି ଓ ସମ୍ଭାବନା ବିଷୟରେ ଆଲୋକପାତ ପୂର୍ବକ ରାଷ୍ଟ୍ରର ଗୌରବବୃଦ୍ଧିକୁ ପ୍ରାଥମିକତା ଦେଇ ଖେଳିବାର ଶୁଭେଚ୍ଛାବାର୍ତ୍ତା ଦେଇ କୁଳପତି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଦଳବଦ୍ଧ ଭାବରେ ସମୂହରେ ରହି କାର୍ଯ୍ୟ କରିବାର ଚମତ୍କାରିତା ବିଷୟରେ ଖେଳ ଆମକୁ ଶିକ୍ଷା ଦେଇଥାଏ ବୋଲି ମଧ୍ୟ ସେ ମିତ ରଖିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ ଫକୀରମୋହନ ବିଶ୍ୱବିଦ୍ୟାଳୟର ଶୃଙ୍ଖଳିତ କ୍ରୀଡ଼ା ପରମ୍ପରାର ସୂଚନା ଦେଇ ଏଠାରେ ଏହି ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ଖୋ ଖୋ ଖେଳ ଆୟୋଜନର ମହତ୍ ଉଦ୍ଦେଶ୍ୟ ବିଷୟରେ ଆଭାସ କରାଇଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମହିଳା ବର୍ଗର ଆନ୍ତଃ ବିଶ୍ୱବିଦ୍ୟାଳୟ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଆୟୋଜନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଭଲ ପ୍ରଦର୍ଶନ କରିବାର ଆଶା ପୋଷଣ କରି ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । କ୍ରୀଡ଼ା କମିଟିର ନିର୍ଦ୍ଦେଶକ ଡ. ଭାସ୍କର ବେହେରା ଖେଳ ଆମର ରାଷ୍ଟ୍ର ସମ୍ପତ୍ତି ବୋଲି ମତଦେବା ସହିତ ଖୋ ଖୋ ଖେଳ ଶାରୀରିକ ଭାବରେ ବ୍ୟକ୍ତିକୁ ସୁସ୍ଥ ରଖେ ଓ ସ୍ପୋର୍ଟ୍ସମ୍ୟାନ୍ ସ୍ପିରିଟ୍ ତିଆରି କରି ଜୀବନ ବଞ୍ôଚବାର କଳା ଶିକ୍ଷା ଦେଇଥାଏ ବୋଲି କହିଥିଲେ ଏବଂ କ୍ରମାଗତ ଭାବେ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଖେଳର ସମ୍ପୂର୍ଣ୍ଣ ବିବରଣୀ ସଂକ୍ଷେପରେ ଉପସ୍ଥାପନ କରିଥିଲେ । କ୍ରୀଡ଼ା ଅଧିକାରୀ ସଂଗ୍ରାମ କିଶୋର ବିଶୋଇ ପ୍ରତିଯୋଗୀତାରେ ଭାଗ ନେଇଥିବା ସମସ୍ତ ବିଶ୍ୱବିଦ୍ୟାଳୟର କ୍ରୀଡ଼ାଦଳ ଓ ସଞ୍ଚାଳକ ମାନଙ୍କୁ ଶୃଙ୍ଖଳିତ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନର ଶୁଭେଚ୍ଛା ଜଣାଇ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଷଡ଼ଙ୍ଗୀ ଓ କୁଳପତି ପ୍ରଫେସର ତ୍ରିପାଠୀ ଯଥାକ୍ରମେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପତକା ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପତକା ଉତ୍ତୋଳନ ପରେ ପର୍ଯ୍ୟାୟ କ୍ରମେ ଖୋ ଖୋ ଖେଳ ଆରମ୍ଭ ହୋଇଥିଲା ।
ପୂର୍ବ ଭାରତର ପ୍ରାୟ ୩୮ ଟି ବିଶ୍ୱବିଦ୍ୟାଳୟ ଏଥିରେ ଅଂଶ ଗ୍ରହଣ କରିଥିବାର ସୂଚନା ପ୍ରାପ୍ତ ହୋଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ତ୍ରିପୁରା ବିଶ୍ୱବିଦ୍ୟାଳୟ, ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ, ଦିନ ଦୟାଲ ଉପାଧ୍ୟାୟ ଗୋରଖପୁର ବିଶ୍ୱବିଦ୍ୟାଳୟ, ନର୍ଥ ବେଙ୍ଗଲ୍ ବିଶ୍ୱବିଦ୍ୟାଳୟ, କଲ୍ୟାଣୀ ବିଶ୍ୱବିଦ୍ୟାଳୟ, ସିଦ୍ଧ କାନୋ ବିର୍ସା ଇଉନିଭର୍ସିଟି ପଶ୍ଚିମବଙ୍ଗ, ଲଳିତ ନାରାୟଣ ମୈଥିଳୀ ବିଶ୍ୱବିଦ୍ୟାଳୟ, ପିଟି ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟ, ରାଞ୍ôଚ ବିଶ୍ୱବିଦ୍ୟାଳୟ, ବିଶ୍ୱଭାରତୀ ସ୍ମାର୍ଟ ବୋର୍ଡ଼, ସେନଚୁରିଆନ୍ ବିଶ୍ୱବିଦ୍ୟାଳୟ ଓଡ଼ିଶା, ମଗଧ ବିଶ୍ୱବିଦ୍ୟାଳୟ, ବୀର ବାହାଦୁର ସିଂହ ପୂର୍ବାଞ୍ଚଳ ଇଉନିଭର୍ସିଟି, ଆୱାଦେଶ ପ୍ରତାପ ସିଂହ ଇଉନିଭର୍ସିଟି ରେୱା, ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଗୁରୁ ଘାସି ଦାସ ଇଉନିଭର୍ସିଟି ବିଲାସପୁର, ଉତ୍କଳ ବିଶ୍ୱବିଦ୍ୟାଳୟ ନ୍ୟାସନାଲ ସ୍ମାର୍ଟ ଇଉନିଭର୍ସିଟି ମଣିପୁର, ଆମ୍ବେଦକର ବିହାର ଇଉନିଭର୍ସିଟି, ଟିଏମ୍ ଭାଗଲପୁର ବିଶ୍ୱବିଦ୍ୟାଳୟ, ସହିଦ୍ ନନ୍ଦ କୁମାର ପଟେଲ ବିଶ୍ୱବିଦ୍ୟାଳୟ, ଧାନମଞ୍ଜୁରୀ ବିଶ୍ୱବିଦ୍ୟାଳୟ ମଣିପୁର, କାଲକାଟା ଇଉନିଭର୍ସିଟି ଯୋଧପୁର ବିଶ୍ୱବିଦ୍ୟାଳୟ, ହେମଚନ୍ଦ୍ ବିଶ୍ୱବିଦ୍ୟାଳୟ ଦୁର୍ଗ, ଅଟଳ ବିହାରୀ ବାଜପେୟୀ ବିଶ୍ୱବିଦ୍ୟାଳୟ ବିଲାସପୁର, ଏମ୍କେ କାସୀ ବିଦ୍ୟାପୀଠ ବାରାଣାସୀ, କିଟ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର, ସହିଦ୍ ମହେନ୍ଦ୍ର କୁମାର ବିଶ୍ୱବିଦ୍ୟାଳୟ ବସ୍ତର ଆଦି ବିଶ୍ୱବିଦ୍ୟାଳୟର କ୍ରୀଡାବିତ୍ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି ।