ହେଲପିଙ୍ଗ ସୋସାଇଟି ପକ୍ଷରୁ ଗରିବ ଓ ଅସହାୟଙ୍କୁ ଖାଦ୍ୟ ବଂଟନ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ‘ହେଲପିଙ୍ଗ ସୋସାଇଟି’ ନିଜର ସେବା କାର୍ଯ୍ୟ ଜାରି ରଖିଛି । ଦୁର୍ଗାପୂଜା ଅବସରରେ ହେଲପିଙ୍ଗ ସୋସାଇଟି ପକ୍ଷରୁ ଖଇରା ବ୍ଲକ ପଳାଶପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ନାୟକଙ୍କ ସ୍ମୃତିରେ ଗରିବ ଓ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି । ହେଲପିଙ୍ଗ ସୋସାଇଟି ପକ୍ଷରୁ ଷ୍ଟେସନ ଛକ ନିକଟସ୍ଥ ସାଇ ମନ୍ଦିର ସାମ୍ନାରେ ବସୁଥିବା ଦୁଃଖିଙ୍କ ପାଇଁ ଶୁଖିଲା ଖାଦ୍ୟର ବନ୍ଦୋବସ୍ତ କରାଯାଇଥିଲା । ସଂଗଠନର ସଭାପତି ହ୍ରିତିକ ନାୟକଙ୍କ ନେତୃତ୍ୱରେ ଉପସଭାପତି ସେଖ୍ ନାଜିମ୍, ସମାଜସେବୀ ରଜତ ଘଡ଼େଇ, ଅରୁପ ସାହୁ, କିରଣ ଜ୍ୟୋତି ମଣ୍ଡଳ, ସୋନାଲି ଦାସ, ପ୍ରିନ୍ସ୍ ଆରୟାନ୍, ଆଶିଷ ଆଶ୍ , ଦିପୁନା ଦାସ, ଏସ୍.କେ ଅମନ୍, ଶ୍ରଦ୍ଧା ସୁମନ, ଜ୍ୟୋତି ପ୍ରକାଶ ରାଉତ, ସୁଧାଂଶୁ ଶେଖର ବାରିକ୍, ପଙ୍କଜ ଘୋଷ, ରୁଦ୍ର ପୀରି, ସଂଗ୍ରାମ ଦାସ, ଦନିଶା ଦାସ, ୟାସିକା ଗୁପ୍ତା, ଶୁଭଶ୍ରୀ ଦାସ, ଜ୍ୟୋତି ରଞ୍ଜନ ବାରିକ୍ ପ୍ରମୁଖ ସଦସ୍ୟସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଖଇରା ବ୍ଲକ ପଳାଶପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ନାୟକ ଜଣେ ନମ୍ର ଓ ସରଳ ସ୍ୱଭାବର ମଣିଷ ଥିଲେ । ସେ ସର୍ବଦା ଦୁଃଖିର ସାଥି ହୋଇ ଖୁସି ଅନୁଭବ କରିଥିଲେ । ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ଗତ ଜୁଲାଇ ମାସ ପବିତ୍ର ରଥଯାତ୍ରା ଦିବସରେ ତାଙ୍କର ଦେହାନ୍ତ ହୋଇଥିଲା । ଆଦର୍ଶ ଶିକ୍ଷକ ଲକ୍ଷ୍ମୀଧର ନାୟକଙ୍କ ସ୍ୱର୍ଗାରୋହଣ କରିବାର ତିନିମାସ ବିତିଯାଇଛି । ଏହି ତ୍ରୈମାସିକ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତାଙ୍କରି ସ୍ମୃତିରେ ଦୁଃଖି ମାନଙ୍କ ସାମାନ୍ୟ ଦୁଃଖ ହରିବା ପାଇଁ ପରିବାର ଲୋକଙ୍କ ପ୍ରଚେଷ୍ଟାରେ ସଙ୍ଗଠନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେହିପରି ୰ ଲକ୍ଷ୍ମୀଧର ନାୟକଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଆଗାମୀ ଦିନରେ ଏମିତି ଦୁଃଖିମାନଙ୍କ ପାଇଁ ସହାୟତାର ହାତ ବଢ଼ାଇବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ହେଲପିଙ୍ଗ ସୋସାଇଟିର ସଦସ୍ୟମାନଙ୍କ ଏମିତି ପ୍ରୟାସକୁ ପରିବାର ପକ୍ଷରୁ ସାଧୁବାଦ ଜଣାଯାଇଛି ।