ଧାମନଗର ଉପ-ନିର୍ବାଚନ : ମଇଦାନରେ ୫ ପ୍ରାର୍ଥୀ
୨୫୨ ବୁଥରେ ମତଦାନ ସାବ୍ୟସ୍ତ କରିବେ ୧ ଲକ୍ଷ ୩୮ ହଜାରରୁ ଅଧିକ ଭୋଟର
ମୁତୟନ ହେବେ ୧୭ ପ୍ଲାଟୁନ୍ ପୋଲିସ୍ , ୨ ଦିନ ମଦ ଦୋକାନ ବନ୍ଦ
ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ୫ ପ୍ରାର୍ଥୀ । ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ଅକ୍ଟୋବର ୧୪ ସୁଦ୍ଧା ୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଜଣଙ୍କର ପ୍ରାର୍ଥୀତ୍ୱ ଖାରଜ ହୋଇଥିବା ବେଳେ ଅନ୍ୟ କେହି ନାମାଙ୍କନ ପ୍ରତ୍ୟାହାର କରି ନାହାନ୍ତି । ଏଣୁ ଧାମନଗରରେ ୫ ଜଣ ଜଣ ପ୍ରାର୍ଥୀ ନିର୍ବାଚନ ପ୍ରତିନ୍ଦ୍ୱନ୍ଦ୍ୱିତା କରିବା ନିଶ୍ଚିତ ହୋଇଛି । ୫ ଜଣ ପ୍ରାର୍ଥୀ ଯଥା ବିଜୁ ଜନତା ଦଳର ଅବନ୍ତୀ ଦାସ, ଭାରତୀୟ ଜାତୀୟ କଂଗ୍ରେସର ବାବା ହରେକୃଷ୍ଣ ସେଠୀ, ଭାରତୀୟ ଜନତା ପାର୍ଟିର ସୂର୍ଯ୍ୟବଂଶୀ ସୂରଜ, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର କୁମାର ଦାସ ଉପନିର୍ବାଚନ ଲଢ଼ିବେ । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୋମବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ।
ଏଥର ଉପନିର୍ବାଚନରେ ଦୃଷ୍ଟିବାଧିତ ଭୋଟରମାନଙ୍କ ପାଇଁ ଡମି ବ୍ରେଲି ବାଲାଟ୍ ପେପରର ସୁବିଧା କରାଯାଇଛି ଓ ୮୦ ବର୍ଷରୁ ଊର୍ଦ୍ଧ୍ୱ ଭୋଟର ଓ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି । ଧାମନଗର ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୩୮୦୧୭ ଜଣ ଭୋଟର ରହିଛନ୍ତି । ୨୫୨ ପୋଲିଂ ସେକ୍ସନ ହୋଇଛି ।୧୩୪ଟି ବୁଥର ନାମ ବଦଳିଛି । ଇତିମଧ୍ୟରେ ପୋଲିଂ ଅଫିସରମାନଙ୍କ ପ୍ରଥମ ରାଉଣ୍ଡ ଟ୍ରେନିଂ ସରିଛି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ପୋଷ୍ଟର ଆଉ ବ୍ୟାନର ଯେଉଁଠି ଲାଗିଥିଲା ସେସବୁ ବାହାର କରାଯାଇଛି । ଯେମିତି ପ୍ରତି ନିର୍ବାଚନରେ ହୁଏ ସେମିତି ମତଦାନ ହେବାର ଦୁଇଦିନ ପୂର୍ବରୁ ବନ୍ଦ ହେବ ମଦ ଦୋକାନ । ମତଦାନ ଦିନ ଛୁଟି ଘୋଷଣା ହେବ । ଭୋଟ ଯେମିତି ସୁରୁଖୁରୁରେ ହେବ ସେଥିପାଇଁ ଭୋଟ ପାଇଁ ୨୬ ଜଣ ମାଇକ୍ରୋ ଅବଜର୍ଭର ନିୟୋଜିତ ହେବେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୭ ପ୍ଲାଟୁନ ପୁଲିସ ମୁତୟନ ହେବେ । ପ୍ରତି ପ୍ରାର୍ଥୀ ୪୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରି ପାରିବେ । ତା’ଠାରୁ ଅଧିକ ଖର୍ଚ୍ଚ କରୁଥିବା ନେଇ କୌଣସି ପ୍ରାର୍ଥୀଙ୍କ କିଛି ଭିଡ଼ିଓ ଆସିଲେ କିମ୍ବା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଆସନ୍ତା ନଭେମ୍ବର ୩ରେ ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ । ନିର୍ବାଚନ କମିଶନଙ୍କ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ଠାରୁ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ପୋଷ୍ଟର ଓ ବ୍ୟାନର ଲଗାଇବାରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ୬୨୪ଟି ମାମଲା ରୁଜୁ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୧୮୭ଟି ମାରଣାସ୍ତ୍ର ଓ ବନ୍ଧୁକ ଡିପୋଜିଟ ନିଆଯାଇଛି । ୧୧୬୭ଜଣ ଦାଗୀଙ୍କୁ ଅଟକ ରଖାଯାଇଛି ବୋଲି ସେ କହିଛନ୍ତି । ଉପନିର୍ବାଚନ ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ୫୧ଟି କେସ୍ ରୁଜ୍ଜୁ କରାଯାଇଛି ଓ ୪୮ ଜଣ ଲୋକଙ୍କୁ ଗିରଫ କରାଯାଇଛି । ଏଥି ସହ ୧୦ ଲକ୍ଷ ୪୮ ହଜାର ୪୮୬ ଟଙ୍କାର ମଦ ଜବତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।