ଏସିଏଫ୍ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେଲେ ଡିଏଫ୍ଓ
ଗଜପତି : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେଲେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍ ଡିଏଫ୍ଓଙ୍କୁ ଜେରା କରୁଥିବା ସୂଚନା ମିଳିଛି । ତେବେ କିଛି ଦିନ ତଳେ ଡାକ୍ତର ଓ ତହସିଲଦାରଙ୍କୁ ପଚରାଉଚରା କରିସାରିଛି କ୍ରାଇମବ୍ରାଞ୍ଚ । ସେହିପରି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ମଧ୍ୟ ଜେରା କରିଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ଘଟଣାର ତଦନ୍ତ କରୁଥିବା ପୋଲିସ ଡିଏଫ୍ଓଙ୍କୁ କ୍ଲିନ୍ଚିଟ୍ ଦେଇସାରିଥିଲା ।
ସୂଚନାଯୋଗ୍ୟ ଯେ, ସୌମ୍ୟଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଯେତିକି ଆଗକୁ ବଢୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପୋଲିସ ତଦନ୍ତ ପରିସରଭୁକ୍ତ କରିନଥିବା ଡାକ୍ତର ଓ ତହସିଲଦାରଙ୍କୁ ପଚାରା ଉଚାରା କରିଛି କ୍ରାଇମବ୍ରାଞ୍ଚ। ହେଲେ ମୃତ୍ୟୁ କାଳୀନ ଜମାନବନ୍ଦିକୁ ନେଇ ରହିଥିବା ସନ୍ଦେହ ଘନିଭୂତ ହୋଇଛି । ଜଣେ ୯୫ ପ୍ରତିଶତ ପୋଡି ଯାଇଥିବା ବ୍ୟକ୍ତି କିଭଳି ମୃତ୍ୟୁ କାଳିନ ଜମାନ ବନ୍ଦି ଦେବାକୁ ସକ୍ଷମ ହେଲେ ତାକୁ ନେଇ ଆପତ୍ତି ରହିଛି । ଡ଼ାକ୍ତର କହିଥିଲେ ଜମାନବନ୍ଦୀ ସମୟରେ ଡାକ୍ତର ଓ ମାଜିଷ୍ଟ୍ରେଟଙ୍କ ବ୍ୟତୀତ କେହି ଉପସ୍ଥିତ ନଥିଲେ । କିନ୍ତୁ ଭାଇରଲ ହେଉଥିବା ଭିଡିଓରେ ଡାକ୍ତର ଓ ତହସିଲଦାରଙ୍କ ସହ ଜମାନବନ୍ଦୀ ଲେଖା ହେବା ସମୟରେ ଡିଏଫ୍ଓ ଉପସ୍ଥିତ ଅଛନ୍ତି । ସେପଟେ ଜମାନବନ୍ଦୀ ଲେଖା ସମୟରେ ଭିଡିଓ ରେକର୍ଡ କରାଯାଇଥିବା କଥାକୁ ଡାକ୍ତର ଜାଣି ନଥିବା କହୁଥିବା ବେଳେ ତହସିଲଦାର ମୁହଁ ଖୋଲୁ ନାହାନ୍ତି । ଯାହା ପରିବାର ଲୋକଙ୍କ ଅଭିଯୋଗ ଓ ଲୋକଙ୍କ ସନ୍ଦେହ କୁ ଅଧିକ ଘନୀଭୂତ କରିଛି । ତେବେ ଏସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଏସପିଙ୍କ କହିବା ହେଲା ଭୀଡିଓର ଯାଞ୍ଚ କରାଯିବ । ଯଦି ସତ୍ୟତା ଥାଏ ତାହା ହେଲେ ତଦନ୍ତ ପରିସରଭୁକ୍ତ କରାଯିବ । ତେବେ ଏଠି ପ୍ରଶ୍ନ ଉଠୁଛି ଜମାନବନ୍ଦୀ ଲେଖା ହେବା ସମୟରେ ସେଠି ଡିଏଫ୍ଓ କରୁଥିଲେ କଣ ?