ନ୍ୟୁଜିଲ୍ୟାଣ୍ଡକୁ ଝଟ୍କା, ଆହତ କାରଣରୁ ଡେଭନ୍ କନୱେ ଆଉଟ୍
ନୂଆଦିଲ୍ଲୀ: ଚଳିତ ଆଇସିସି ଟି-୨୦ ବିଶ୍ୱକପର ଫାଇନାଲରେ ମୁହାଁମୁହିଁ ହେବେ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ । ରବିବାର ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ଝଟକା ଲାଗିଛି । ଟିମର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଡେଭନ୍ କନୱେ ଆହତ କାରଣରୁ ଫାଇନାଲରୁ ବାଦ୍ ପଡ଼ିଛନ୍ତି । ଏହାସହ ସେ ଆଗାମୀ ଭାରତ ବିପକ୍ଷ ଦ୍ୱିପାକ୍ଷିକ ସିରିଜରୁ ମଧ୍ୟ ଆଉଟ୍ ହୋଇଛନ୍ତି । ତାଙ୍କ ବାଦ୍ ପଡ଼ିବା ନ୍ୟୁଜିଲ୍ୟାଣ୍ଡ ପାଇଁ ବଡ଼ କ୍ଷତି ।
ଇଂଲଣ୍ଡ ବିପକ୍ଷ ପ୍ରଥମ ସେମିଫାଇନାଲରେ ବ୍ୟାଟିଂ କରୁଥିବା ବେଳେ କନୱେଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା । ଏହି ମ୍ୟାଚରେ ସେ ୩୮ ବଲରେ ୪୬ ରନର ମହତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ । ଆଉ ତାଙ୍କର ଅନୁପସ୍ଥିତି ନ୍ୟୁଜିଲ୍ୟାଣ୍ଡ ପାଇଁ କଠିନ ହେବ ବୋଲି ଟିମର କୋଚ୍ ଗ୍ୟାରୀ ଷ୍ଟେଡ୍ କହିଛନ୍ତି । ଷ୍ଟେଡ୍ କହିଛନ୍ତି, ଆହତ କାରଣରୁ କନୱେ ଫାଇନାଲ୍ ମ୍ୟାଚ୍ ଖେଳିପାରିବେ ନାହିଁ । ଡେଭନ୍ ଫାଇନାଲ୍ ଖେଳିବାକୁ ନେଇ ବହୁତ ଉତ୍ସାହିତ ଥିଲେ । କିନ୍ତୁ ଏବେ ସେ ବହୁତ ନିରାଶ ହୋଇଛନ୍ତି । କନୱେଙ୍କ ନଖେଳିବା ଟିମ୍ ପାଇଁ ବଡ଼ ଝଟକା । ସେ ଭଲ ଫର୍ମରେ ଥିଲେ, କିନ୍ତୁ ଏଭଳି ସମୟରେ ତାଙ୍କର ଆହତ ହେବା ନିଶ୍ଚିତ ଭାବେ ନୈରାଶ୍ୟଜନକ ବୋଲି ଷ୍ଟେଡ୍ କହିଛନ୍ତି । କନୱେଙ୍କ ସ୍ଥାନରେ ଟିମ୍ ସିଫର୍ଟ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚ୍ ଖେଳିବେ । ଚଳିତ ଟୁର୍ଣ୍ଣାମେଂଟରେ ସିଫର୍ଟ ପାକିସ୍ତାନ ବିପକ୍ଷ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ମ୍ୟାଚରେ ଖେଳିଥିଲେ । ଏଥିରେ ସେ ମାତ୍ର ୮ ରନ୍ କରିଥିଲେ । କନୱେ ଇଂଲଣ୍ଡ ବିପକ୍ଷ ସେମିରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିଥିଲେ । କିନ୍ତୁ ସିଫର୍ଟ ପାକିସ୍ତାନ ବିପକ୍ଷରେ ସପ୍ତମ ସ୍ଥାନରେ ଆସିଥିଲେ । ଏଭଳି ସ୍ଥିତିରେ ଗ୍ଲେନ୍ ଫିଲିପ୍ସ ଉପରକୁ ଆସିବେ ଏବଂ ସିଫର୍ଟ ତାଙ୍କ ପରେ ବ୍ୟାଟିଂ କରିବାକୁ ଆସିପାରନ୍ତି ।
ସୂଚନା ଯେ,, ବୁଧବାର ଆବୁ ଧାବିରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟରେ ଇଂଲଣ୍ଡକୁ ହରାଇ ଫାଇନାଲରେ ସ୍ଥାନ ହାସଲ କରିଛି । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୬ ରନ୍ କରିଥିଲା । ଜବାବରେ ନ୍ୟୁଜିଲ୍ୟାଣ୍ଡ ୧୯ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । କିୱି ଟିମ୍ ପକ୍ଷରୁ ଡାରିଏଲ୍ ମିଚେଲ୍ ସର୍ବାଧିକ ୭୨ ରନର ଅପରାଜିତ ଇନିଂସ୍ ଖେଳିଥିଲେ ।