ଇଭିଏମ ବ୍ୟବହାରକୁ ବିରୋଧ, ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ବାଲେଶ୍ୱର : ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ) ବ୍ୟବହାର ବିରୋଧରେ ଭାରତ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଗଠନର ସଦସ୍ୟ ସାଧୁ ଚରଣ ମଲ୍ଲିକ, ରାମଚନ୍ଦ୍ର ମାରାଣ୍ଡି, ବାଇଧର ସିଂ, ଜଗନ୍ନାଥ ହେମ୍ରମ, ଜ୍ୟୋତିର୍ମୟୀ ମାଝୀ, ଚମ୍ପେଇ ସୋରେନ ପ୍ରମୁଖ ଯୋଗଦେଇ ପେପର ବାଲାଟ୍ ପରିବର୍ତ୍ତେ ଇଭିଏମ ବ୍ୟବବାହକୁ ତୀବ୍ର ସମାଲୋଚନା କରିଥିଲେ । କେବଳ ଇଭିଏମ ମାଧ୍ୟମରେ ସ୍ୱତନ୍ତ୍ର, ନିରପେକ୍ଷ ତଥା ପାରଦର୍ଶୀ ନିର୍ବାଚନ ସମ୍ଭବପର ନୁହେଁ । ତେଣୁ ଇଭିଏମ ମେସିନ ସହିତ ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ବ୍ୟବହାର ଓ ଭିଭିପିଏଟି ସ୍ଲିପ ସହିତ ଇଭିଏମର ଭୋଟିଂ ସଂଖ୍ୟା ସହିତ ମେଳ ପାଇଁ ୨୦୧୭ ମସିହାରେ ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଇଭିଏମ ସହ ଭିଭିପିଏଟି ବ୍ୟବହାର ହେବା ସତ୍ତ୍ୱେ ସ୍ଲିପ ସହିତ ଇଭିଏମ ଭୋଟିଂ ସଂଖ୍ୟା ମେଳ କରାଯାଉ ନାହିଁ । କେବଳ ଔପଚାରିକତା ହିସାବରେ ନିର୍ବାଚନ ହେଉଥିବା ନେଇ କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି । ଦେଶର ଗଣତନ୍ତ୍ର ବଞ୍ଚାଇବାକୁ ହେଲା ଇଭିଏମ୍ ବଦଳରେ ପେପର ବାଲାଟ୍ ଯୋଗେ ନିର୍ବାଚନ କରାଇବାକୁ ସେମାନେ ଦାବି କରିଛନ୍ତି । ବିକଶିତ ରାଷ୍ଟ୍ରମାନଙ୍କରେ ଜ୍ଞାନକୌଶଳର ପ୍ରୟୋଗ ଅଧିକ ଥିଲେ ବି ସେଠାକାର ନିର୍ବାଚନରେ ଇଭିଏମ ବ୍ୟବହାର ହେଉନାହିଁ । ଅପରେପକ୍ଷେ ଭାରତରେ ନିର୍ବାଚନ କମିଶନର ଅସୁରକ୍ଷିତ ପୁରୁଣା ମେସିନ ଗୁଡିକୁ ବ୍ୟବହାର କାହା ସ୍ୱାର୍ଥରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ସମ୍ପ୍ରତି ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ ୨୦ ଲକ୍ଷ ଇଭିଏମର ପତ୍ତା ମିଳୁ ନ ଥିବା ବେଳେ ନିର୍ବାଚନ କମିଶନ ଇଭିଏମ ବାବଦରେ ତଥ୍ୟ ଉପରେ କୌଣସି ସୂଚନା ଦେଉନାହାନ୍ତି । ସେହିପରି ଗତ ନିର୍ବାଚନରେ ଭିଭିପିଏଟି ସ୍ଲିପଗୁଡ଼ିକୁ ଉଦ୍ଦେଶ୍ୟମୂଳକ ଭାବେ ୪ମାସ ମଧ୍ୟରେ ନଷ୍ଟ କରାଯାଇଥିବା ବେଳେ ନିର୍ବାଚନ କମିଶନ ଇଭିଏମ ନିର୍ମାତା ଭାରତ ସରକାରଙ୍କ ଇସିଆଇଏଲ ଓ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ କମ୍ପାନୀକୁ ଗୋପନୀୟ ସଫ୍ଟୱେର ଯୋଗାଇ ଦେଇଥିବା ସଂଗଠନ ପକ୍ଷରୁ ଆରୋପ ଉଠାଯାଇଛି । ନିର୍ବାଚନ କମିଶନଙ୍କ ଅସମ୍ବିଧାନିକ କାର୍ଯ୍ୟଶୈଳୀ ଉପରେ ରୋକ ସହ ଗଣତନ୍ତ୍ରର ସୁରକ୍ଷା ସହ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବାକୁ ଭାରତ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଦାବି କରାଯାଇଛି ।