ମହଙ୍ଗା ପଡିଲା ଅପହରଣ ନାଟକ : ଗିରଫ ହେଲେ ଡେଲିଭରୀ ବୟ ଚିକୁନ
ଭୁବନେଶ୍ୱର : ଅପହରଣ ନାଟକ ଶେଷ । ନିଜ ଅପରହଣ ନାଟକର ନିଜେ ଥିଲେ ନିର୍ଦ୍ଦେଶକ ଓ ନିଜେ ଥିଲେ ଅଭିନେତା । କିନ୍ତୁ କ୍ଲାଇମାକ୍ସ ପୂର୍ବରୁ ପୁରା ଘଟଣାର ହୋଇଗଲା ପର୍ଦ୍ଦାଫାଶ । ପୋଲିସ ଡେଲିଭରୀ ବୟ ପତିତପାବନକୁ ଠାବ କରି ଭୁବନେଶ୍ୱର ଆଣିବା ପାଇଁ ମଧ୍ୟପ୍ରଦେଶ ରେଳବାଇ ପୋଲିସ ସହିତ ଯୋଗାଯୋଗ ହୋଇଥିଲା । ଏହାପରେ ଉଭୟ ପତିତପାବନ ଏବଂ ଜଣେ ଯୁବତୀଙ୍କୁ ଟ୍ରେନ୍ ଯୋଗେ ଭୁବନେଶ୍ୱର ଅଣାଯାଇଛି । ଶେଷରେ ବନ୍ଧା ହେଲେ ଡେଲିଭରୀ ବୟ ଚିକୁନ । ଅନ୍ୟପକ୍ଷରେ ପୋଲିସ ତଦନ୍ତରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଯୁବକ ଜଣଙ୍କ ଡେଲଭରୀ ବୟ ନଥିଲେ ବୋଲି ସୂଚନା ମିଳିଛି । ସେହିପରି ଉଦ୍ଧାର ଯୁବତୀଙ୍କ ଅଡିଓ- ଭିଡିଓ ବୟାନ ରେକର୍ଡ । ସ୍ଵଇଚ୍ଛାରେ ଯୁବକଙ୍କ ସହ ଫେରାର ହୋଇଥିବା କହିଲେ ଯୁବତୀ । ପୋଲିସକୁ ଭ୍ରମିତ କରିବା, ମିତଥ୍ୟ ଅପହରଣ ନାଟକ କରିବା ଓ ତଥ୍ୟ ଲୁଚାଇବା ଅଭିଯୋଗରେ ଚିକୁନକୁ ଗିରଫ କରିଛି ପୋଲିସ ।
ସୂଚନା ଯେ, ଧଉଳି ଅଞ୍ଚଳର ଡେଲିଭରୀ ବୟ ଚିକୁନ୍ ଅପହରଣ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । କେହି ତାଙ୍କୁ କୁଆଡେ ନେଇଯାଉଛନ୍ତି ବୋଲି ଏକ ଭଏସ ମେସେଜ ଜରିଆରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ପତିପାବନ । ଅଭିଯୋଗ ପରେ ଆକ୍ସନକୁ ଆସିଯାଇଥିଲା ପୋଲିସ । ଏନେଇ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ରେଳବାଇ ଥାନାକୁ ପତିପାବନଙ୍କ ଫଟୋ ପଠାଯାଇଥିଲା । ଧଉଳି ଥାନା ପୋଲିସ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଘଟଣାରେ ଆସିଲା ଏକ ଟ୍ୱିଷ୍ଟ । ପୁରୀ ଜିଲା ଗୋପ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଚିକୁନ୍ ଅପହରଣ କରିଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ଗୋପ ଥାନାରେ ମାମଲା ରୁଜୁ ହୋଇଥିଲା । ଯାହାକି ମାମଲାକୁ ପୁରା ଅଡୁଆରେ ପକାଇଦେଇଥିଲେ । ସେପଟେ ଚିକୁନକୁ ମଧ୍ୟପ୍ରଦେଶର କଟନୀରୁ ଠାବ କରିଥିଲେ ରେଳବାଇ ପୋଲିସ । ତାଙ୍କ ସହ ଜଣେ ଯୁବତୀ ମଧ୍ୟ ରହିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପୋଲିସ ତଦନ୍ତ । ଚିକୁନ୍ ନିଜ ସ୍ତ୍ରୀକୁ ଅପହରଣର ରଙ୍ଗୀନ୍ ମିଛ କହି ପ୍ରେମିକା ସହ ହୋଇଯାଇଥିଲେ ଫେରାର୍ ।