ଅଗଷ୍ଟରେ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ସୂଚୀରେ ସାମିଲ ନିଷ୍ପତ୍ତି : ଡବ୍ଲୁଏଚଓ
ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଭାରତୀୟ କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିବାର ସମ୍ଭାବନା ରହିଛି । ଏ ନେଇ ସଂକେତ ଦେଇଛନ୍ତି ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ । ସେ କହିଛନ୍ତି ଯେ ଏବେ ଭାରତ ବାୟୋଟେକ୍ କୋଭାକ୍ସିନ ସମ୍ପର୍କିତ ତଥ୍ୟ ଡବ୍ଲୁଏଚଓ ପୋର୍ଟାଲରେ ଅପଲୋଡ୍ କରୁଛି । ଏହି ଅନୁମତି ମିଳିବା ପରେ କୋଭାକ୍ସିନ ଅନ୍ତର୍ଜାତୀୟ ଟିକା ଯୋଗାଣ ବ୍ୟବସ୍ଥା କୋଭାକ୍ସରେ ଉପଲବ୍ଧ ହୋଇପାରିବ, କିମ୍ବା ଭାରତ ବାୟୋଟେକ ଏହାକୁ ଅନ୍ୟ ଦେଶମାନଙ୍କୁ ସିଧାସଳଖ ବିକି ପାରିବ । ଆହୁରି ମଧ୍ୟ ଏହି ଟିକାର ପ୍ରମାଣପତ୍ର ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ଗ୍ରହଣୀୟ ହୋଇପାରିବ । ଏବେ ସୁଦ୍ଧା ଡବ୍ଲୁଏଚଓ ଆଠଟି କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ତାଲିକାଭୁକ୍ତ କରିଛି ।
ଭାରତରେ ଏପର୍ଯ୍ୟନ୍ତ ଉପଯୋଗ ହେଉଥିବା କୋଭାକ୍ସିନକୁ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଜରୁରି ଉପଯୋଗ ସୂଚୀଭୁକ୍ତ କରାଯାଇ ପାରେ ବୋଲି ଆଶାପୋଷଣ କରିଛନ୍ତି। ଏକ ୱେବିନାରକୁ ସମ୍ବୋଧିତ କରିବା ଅବସରରେ ଡବ୍ଲୁଏଚଓଙ୍କ ମଞ୍ଜୁରି ଲାଗି ଏକ ନିଶ୍ଚିତ ପ୍ରକ୍ରିୟାର ପାଳନ ହୋଇଥାଏ ବୋଲି କହିଛନ୍ତି। ଏହି କାଳରେ କମ୍ପାନୀମାନଙ୍କୁ ଟ୍ରାଏଲ ଡାଟା, ସୁରକ୍ଷା ଡାଟା, ନିର୍ମାଣର କ୍ୱାଲିଟି ଡାଟା ଆଦି ଉପସ୍ଥାପନ କରିବାକୁ ପଡିଥାଏ। ତେବେ ଭାରତ ବାୟୋଟେକ ଏହି ସମସ୍ତ ଔପଚାରିକତା ଅନେକ ପୂର୍ବରୁ ପୂରଣ କରିସାରିଛନ୍ତି। ସେହିପରି କୋଭାକ୍ସିନର ପରୀକ୍ଷଣରୁ ହିଁ ଏହାର ପରିଣାମ ବେଶ ସନ୍ତୋଷଜନକ ରହିଛି। ଏଣୁ ଏହାକୁ ଡବ୍ଲୁଏଚଓଙ୍କ ମଞ୍ଜୁରି ମିଳିବାର ଆଶା ବଢିଯାଇଛି। ତେବେ ସ୍ୱାମିନାଥନ କୋଭିଡ-୧୯ ନେଇ ପୁଣି ଥରେ ବିଶ୍ୱବାସୀଙ୍କୁ ସତର୍କ କରିଛନ୍ତି। ଏଥିରେ ପୁଣି ଥରେ ବିଭିନ୍ନ ଦେଶରେ ସଂକ୍ରମଣ ବଢୁଥିବା ନେଇ ସେ ସତର୍କ କରାଇଛନ୍ତି। ଏଥିରୁ ବିଶ୍ୱରୁ କରୋନା ଭାଇରସ ମହାମାରୀ ସମ୍ପୂର୍ଣ୍ଣ ସମାପ୍ତ ହୋଇ ନଥିବା ସେ କହିଛନ୍ତି ।