ଜୀବନ ନେଉଛି ଦୁର୍ଘଟଣା! ଗତବର୍ଷ ତୁଳନାରେ ଓଡିଶାରେ ବଢିଛି ୭.୨୪% ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର : ଜୀବନ ନେଉଛି ଦୁର୍ଘଟଣା । ଗତବର୍ଷ ତୁଳନାରେ ଓଡିଶାରେ ବଢିଛି ୭.୨୪% ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ସେହିପରି ଗତ ୨୦୧୪ରୁ ୨୦୨୧ (୧୦ ବର୍ଷ) ମଧ୍ୟରେ ୨୯% ମୃତ୍ୟୁହାର ବଢ଼ିଥିବା ବେଳେ ଯାଇଛି ୪୫ ହଜାର ଜୀବନ । ୨୦୨୧ରେ ରାଜ୍ୟରେ ୧୦ ହଜାର ୯୮୪ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ୫ ହଜାର ୮୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ଆହତ ହୋଇଛନ୍ତି ୯ ହଜାର ୭ ଶହ ୮୨ଜଣ । ବିଶେଷ କରି ରାଜ୍ୟର ୪ଟି ଜିଲାରେ ୨୫% ଦୁର୍ଘଟଣା ବୃଦ୍ଧି ଘଟିଥିବା ବେଳେ ୭ଟି ଜିଲାରେ କମିଛି ଦୁର୍ଘଟଣାର ମୃତ୍ୟୁହାର । ତେବେ ଏହି ଦୁର୍ଘଟଣା କମାଇବା ପାଇଁ ପଦକ୍ଷେପ ନେବାକୁ ସବୁ ଜିଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ପରିବହନ ସଚିବ । ସେହିପରି ଦୁର୍ଘଟଣା କମାଇବା ପାଇଁ ଏକ ମାସ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ସଚିବ । ଅନେକ ପଦକ୍ଷେପ ପରେ ବି ଦୁର୍ଘଟଣା ଜନିତ ମୃତ୍ୟୁ କମୁନଥିବାରୁ ଉଦବେଗ ପ୍ରକାଶ କରିଛି ପରିବହନ ବିଭାଗ। ଆଗାମୀ ଦିନରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦% ମୃତ୍ୟୁହାର କମାଇବା ନେଇ ପରିବହନ ବିଭାଗ ପ୍ରୟାସ ଆରମ୍ଭ କରିଥିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ସୋମବାର ଠାରୁ ପୋଲିସ ଓ ଟ୍ରାନ୍ସପୋର୍ଟ ଅଧିକାରୀଙ୍କ କ୍ରାଶ ଇଂଭେସ୍ଟିଗେସନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଟ ୭୦ ଜଣଙ୍କୁ ତାଲିମ ଦିଆଯାଇଥିବା ବେଳେ ୫୦ ଜଣ ପୋଲିସ ଓ ୨୦ ଜଣ ପରିବହନ ଅଧିକାରୀ ସାମିଲ ହୋଇଥିଲେ। ଦୁର୍ଘଟଣା କାହିଁକି ଘଟୁଛି ତାହାର ସଠିକ ତଦନ୍ତ କରିବା ସହ ବୈଜ୍ଞାନିକ ପ୍ରଣାଳୀରେ ଦୁର୍ଘଟଣା ରୋକିବାକୁ ତାଲିମ ଦିଆଯାଇଛି । କାହିଁକି ଘଟୁଛି ଦୁର୍ଘଟଣା, ଏଥିପାଇଁ ଦାୟୀ କିଏ ଭଳି ଦିଗର ତଦନ୍ତ କରିବା ସହ ସର୍ବାଙ୍ଗୀନ ତଦନ୍ତ ସହ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ୩ଟି ପର୍ଯ୍ୟାୟରେ ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ତାଲିମ ଦିଆଯିବ।