ରାସ୍ତା କଡରୁ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
ବଲାଙ୍ଗିର : ରବିବାର ସକାଳୁ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ରାସ୍ତା କଡରୁ ପୁଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକ ଖୁଜେନପାଲିର ସୁରେଶ ଭୁଏ (୪୨) ବୋଲି ଗ୍ରାମବାସୀ କହିଛନ୍ତି। ପାରିପାଶ୍ୱିର୍କ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ପରିବାର ବର୍ଗଙ୍କ ଅଭିଯୋଗ ମୁତାବକ ପୁଲିସ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ମୃତକ ସୁରେଶର ଦୁଇ ସ୍ତ୍ରୀ ଓ ଛଅ ଛୁଆ ତାଙ୍କଠୁ ଅଲଗା ରହୁଥିବା ବେଳେ ଖୁଜେନପାଲିରେ ସେ ଏକାକି ରୁହନ୍ତି। ମୃତ ସୁରେଶ ଭୁଏ ଜଣେ ଅଭ୍ୟାସ ଗତ ମଦ୍ୟପ, ମଦ ପିଇ ଗାଁ ଲୋକଙ୍କୁ ଶୋଧା ଶୋଧି କରନ୍ତି। ଶନିବାର ସନ୍ଧ୍ୟାରେ ଘରୁ ବାହାରି କୁଆଡେ ଯାଇଥିବା ବେଳେ ଆଜି ସକାଳୁ ତାଙ୍କ ମୃତ ଦେହ ରାସ୍ତା କଡରେ ପଡିଥିବା ଦେଖିବାକୁ ମିଳିଥିଲା ବୋଲି ଗ୍ରାମବାସୀ କହିଛନ୍ତି। ତେବେ ମୃତ ଦେହ ଉପରେ ଚାଳ, ବାଉଁଶ ଓ ପଥର ଲଦା ହୋଇଥିବା ବେଳେ ତାଙ୍କୁ କିଏ ମାରି ଦେଇଛି ବୋଲି ପରିବାର ବର୍ଗ ସନ୍ଦେହ କରିଛନ୍ତି। ଏପଟେ ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ସାମନାକୁ ଆସିବ ବୋଲି ପୁଲିସ କହିଛି।