ବିପଦ ସଂକେତ ଉପରେ ଜଳକା, କମୁଛି ଜଳସ୍ତର
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରବାହିତ ହେଉଛି । ୫ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନଦୀପାଖରେ ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି ।
ଜଳକା ନଦୀର ଜଳସ୍ତର ବୁଧବାର ରାତିରୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ନଦୀର ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ରାତି ୨ଟା ସୁଧା ୬.୦୫ ମିଟର ରେ ପ୍ରବାହିତ ହେଉଥିଲା । ଗୁରୁବାର ସକାଳ ୭ଟା ସୁଦ୍ଧା ଜଳସ୍ତର ହ୍ରାସ ହୋଇ ୬.୦୧ ମି ରେ ପହଞ୍ଚିଥିଲା । ସନ୍ଧ୍ୟା ୫ଟା ସୁଦ୍ଧା ୫.୮୯ ମି. ରେ ପ୍ରବାହିତ ହେଉଥିବା ଜଳସେଚନ ବିଭାଗ ପକ୍ଷରୁ ସୂଚନା ମିଳିଛି । ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସୂଚନା ତଥା ଉପର ମୁଣ୍ଡରେ ବର୍ଷା ଲାଗିରହିଲେ ପୁଣି ଜଳସ୍ତର ବୃଦ୍ଧି ହେବାର ସମ୍ଭାବନା ରହିଛି । ବସ୍ତା ବ୍ଲକର ଗଡ଼ପଦା, ରାଉତପଡା, ଦୁଧହଂସା, ବାହାର୍ଦ୍ଦା, ମଥାନୀ, କୁଡ଼ିଆ ସମେତ ସଦର ବ୍ଲକର ଶ୍ରୀରାମପୁର ଓ ରସଲପୁର ପଞ୍ଚାୟତର ବହୁ ଚାଷ ଜମି ଜଳମଗ୍ନ ଥିଲେ ହେଁ ବନ୍ୟା ଆସିଲେ ଚାଷ ସମ୍ପୂର୍ଣ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ବୋଲି ଚାଷୀକୁଳ ପ୍ରକାଶ କରିଛନ୍ତି ।