ଜାନୁୟାରୀ ୧୪ରେ ଡଗରା ବେଳାଭୂମି ମହୋତ୍ସବ
ବାଲିଆପାଳ : କୋଭିଡ୍ କଟକଣା ପାଇଁ ଦୁଇ ବର୍ଷ ଧରି ବନ୍ଦ ଥିବା ଡଗରା ବେଳାଭୂମି ମହୋତ୍ସବ ୨୦୨୩ ମସିହା ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହେବ । ଏନେଇ ରବିବାର ଲଙ୍ଗଳେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ବର୍ଷର ଆୟବ୍ୟୟର ସମୀକ୍ଷା ମଧ୍ୟ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସହାୟତା ପାଇଁ ଆବେଦନ କରାଯିବର ସିଦ୍ଧାନ୍ତ ନିଆଯାଇଛି ।
ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଏହି ଉତ୍ସବ ହୋଇ ଆସିଥିବା ବେଳେ ୨୦୨୩ ବର୍ଷରେ ମଧ୍ୟ ମିଳିତ ଭାବେ ହେବ । ଏଥିପାଇଁ ଏକ ପ୍ରାକ୍ ବଜେଟ୍ ପ୍ରସ୍ତୁତ କରାଯାଇଛି । ଉତ୍ସବ କମିଟି ସଭାପତି ଅଧ୍ୟାପକ ଡ. ସୁକାନ୍ତ ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ପ୍ରେସ କ୍ଲବ ସଭାପତି ପ୍ରଫୁଲ୍ଲ କୁମାର ପାତ୍ର, ସମ୍ପାଦକ ସୁବଳ ଚନ୍ଦ୍ର ଦାସ, ବରିଷ୍ଠ ସଦସ୍ୟ ରବି ରଞ୍ଜନ ତ୍ରିପାଠୀ, ଅମରେନ୍ଦ୍ର ଦାସ, ଆଇନ୍ଜୀବୀ ଅର୍ଦ୍ଧେନ୍ଦୁ ବାରିକ, ତାରାକାନ୍ତ ଜେନା, ଗୋପ ନାରାୟଣ ଜେନା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଦିବଙ୍ଗତ ବେଳାଭୂମି ମହୋତ୍ସବର ଉଦ୍ୟୋକ୍ତା ତଥା କମିଟିର ସଦସ୍ୟ ସ୍ୱର୍ଗତ ପ୍ରଣବ କୁମାର ସାହୁଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।