ବାତ୍ୟା ସିତ୍ରାଙ୍ଗ ପ୍ରଭାବ; ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି
ଢାକା : ବାଂଲାଦେଶର ବିଭିନ୍ନ ସ୍ଥାନରେ ତିନିଜଣ ଶିଶୁଙ୍କ ସମେତ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସାମୁଦ୍ରିକ ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ବାଂଲାଦେଶର ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷତି ଘଟିଛି । ଢାକା ଟ୍ରିବ୍ୟୁନ ସମ୍ବାଦପତ୍ର ଦେଇଥିବା ସୂଚନା ଅନୁଯାୟୀ, ସାମୁଦ୍ରିକ ବାତ୍ୟା ସିତ୍ରାଙ୍ଗ ଆଜି ସକାଳ ୧୦ଟାରେ ବାଂଲାଦେଶରେ ସ୍ଥଳଭାଗ ସ୍ପର୍ଶ କରିବା ସହ ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇଛି ।
ଏହି ବାତ୍ୟା ପ୍ରଭାବରେ ସୋମବାର ରାତିରୁ ବାଂଲାଦେଶର ବିଭିନ୍ନ ସ୍ଥାନରେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ, କୋମିଲାରେ ଗୋଟିଏ ଗଛ ଉପୁଡି ପଡ଼ିବା ଫଳରେ ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଭୋଲା ଜିଲ୍ଲାରେ ଗଛ ତଳେ ଚାପି ହୋଇ ୪ ଜଣଙ୍କର ମୃତ୍ୟୁ ଘଟିଛି । ନରେଲରେ ଜଣେ ଏବଂ ବରଗୁନା ଉପ-ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଚିତ୍ରକୋଣ୍ଡା ଜିଲ୍ଲାରୁ ଏକ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ସିରାଜଗଞ୍ଜ ଜିଲ୍ଲାର ଜାମୁନା ନଦୀରେ ଘୁର୍ଣ୍ଣିବଳୟ ସମୟରେ ଡଙ୍ଗା ବୁଡ଼ିଯିବା ପରେ ଜଣେ ମା ଏବଂ ତାଙ୍କର ଦୁଇ ବର୍ଷର ପୁଅର ମୃତ୍ୟୁ ଘଟିଛି ।
ଢାକାରେ ବହୁ ମହଲା ବିଶିଷ୍ଟ କୋଠାଘରର ରେଲିଂ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋପାଳଗଞ୍ଜ ଜିଲ୍ଲାରେ ଏକ ଗଛ ପଡି ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ପଟୁଆଖଲିରେ ଘୁର୍ଣ୍ଣିବଳୟ ସମୟରେ ନିଖୋଜ ହୋଇଥିବା ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୁନ୍ସିଗଞ୍ଜ ଜିଲ୍ଲାରେ ଘର ଉପରେ ଗଛ ପଡ଼ିବାରୁ ଜଣେ ମା’ ଏବଂ ତାଙ୍କ ନାବାଳିକା ଝିଅର ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି । ମଙ୍ଗଳବାର ଢାକାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିପର୍ଯ୍ୟୟ ପରିଚାଳନା ଏବଂ ରିଲିଫ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଏନାମୁର ରହମାନ କହିଛନ୍ତି ଯେ ଏହି ବାତ୍ୟା ଦ୍ୱାରା ବାଂଲାଦେଶର ପ୍ରାୟ ୧୦ ହଜାରବାସଗୃହ କ୍ଷତିଗ୍ରସ୍ତ ହୋଇଛି ।