ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୧୫ ପରେ ବର୍ଷିବ!
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ । ଏହା ଧୀରେ ଧୀରେ ଲଘୁଚାପରେ ପରିଣତ ହେବ । ଫଳରେ ଏହାର ପ୍ରଭାବରେ ଆସନ୍ତା ୧୫ ତାରିଖ ପରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ଲଘୁଚାପ ଜନିତ ବର୍ଷା ହେଲେ ବହୁ ମାତ୍ରାରେ ନିଅଣ୍ଟିଆ ବର୍ଷାକୁ ଭରଣା କରିପାରିବ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପରେ ସେପ୍ଟେମ୍ବର ମାସରେ ପୁଣି ଲଘୁଚାପ ଜନିତ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।
ଶ୍ରୀ ମହାପାତ୍ରଙ୍କ କହିବାନୁସରେ, ବଙ୍ଗୋପସାଗରରେ ଲଗୁଚାପ ସୃଷ୍ଟି ହେଲେ ଓଡ଼ିଶାରେ ବର୍ଷା ହୋଇଥାଏ। ମାତ୍ର ଅଗଷ୍ଟ ମାସରେ କୌଣସି ଲଘୁଚାପ ସୃଷ୍ଟି ହେଲା ନାହିଁ। ଯେଉଁଥିପାଇଁ ନିଅଣ୍ଟିଆ ବର୍ଷା ହୋଇଛି। ତେବେ ବର୍ତ୍ତମାନ ଯାହା ଜଣାପଡ଼ୁଛି ଆସନ୍ତା ୧୫ ତାରିଖ ଯାଏଁ ଏଭଳି ନିଅଣ୍ଟିଆ ବର୍ଷା ଲାଗି ରହିବ। ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। କିନ୍ତୁ ସକ୍ରିୟ ମୌସୁମୀ ବର୍ଷା ୧୫ ତାରିଖ ପରେ ହେବ ବୋଲି ଜଣାପଡ଼ୁଛି । ଓଡ଼ିଶାରେ ଏବର୍ଷ ମୌସୁମୀ ସକ୍ରିୟ ନାହିଁ। ଜୁନ୍ ପ୍ରଥମରୁ ଅଗଷ୍ଟ ୧୨ ଭିତରେ ୨୪ ଜିଲ୍ଲାରେ କମ୍ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ମାତ୍ର ୬ଟି ଜିଲ୍ଲା ତଥା- କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ନୂଆପଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଉତ୍ତର ଓଡ଼ିଶାର ଭଦ୍ରକ, ଯାଜପୁର, କେନ୍ଦୁଝର ବେଶୀ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଦକ୍ଷିଣ ଆଭ୍ୟନ୍ତରିଣ ଓଡ଼ିଶାରେ ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର ପ୍ରମୁଖ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଛି। କିନ୍ତୁ ୧ରୁ ୧୨ ଅଗଷ୍ଟ ଭିତରେ ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ସାଧାରଣ ବର୍ଷାଠାରୁ ୨୦ରୁ ୫୯% କମ୍ ବର୍ଷା ରେକର୍ଡ଼ କରାଯାଇଛି। ତେବେ ବାକି ଜିଲ୍ଲା ଗୁଡ଼ିକରେ ସାଧାରଣ ବର୍ଷା ଠାରୁ ୬୦%ରୁ କମ୍ ବର୍ଷା ହୋଇଛି। ଅର୍ଥାତ ସମଗ୍ର ଓଡ଼ିଶାରେ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଛି। ବିଶେଷତ୍ୱ ଅଗଷ୍ଟ ୧ରୁ ୧୨ ଭିତରେ ଓଡ଼ିଶାରେ ବେଶୀ ବର୍ଷା ହେବା କଥା। ସେହି ସମୟରେ କମ୍ ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଆସନ୍ତା ଦୁଇରୁ ତିନି ଦିନ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । ମାତ୍ର ୧୬ରୁ ୨୦ ପର୍ଯ୍ୟନ୍ତ ବର୍ଷା ବଢ଼ିବ । ୧୬ରୁ ୧୮ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବା ସହିତ ୧୮ରୁ ୨୦ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି । ଅପରପକ୍ଷେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଟ୍ରପ୍ ଲାଇନ୍ ପ୍ରଭାବରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବ । ମାତ୍ର ୧୬ରୁ ୧୯ ପର୍ଯ୍ୟନ୍ତ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।