ସ୍ପେନରେ ୬୮ ଜଣ ଡାକ୍ତର ଓ ନର୍ସଙ୍କୁ କୋରୋନା
ମଲାଗା: ସ୍ପେନର ଏକ ହସ୍ପିଟାଲର ଆଇସିୟୁରେ କାମ କରୁଥିବା ଡାକ୍ତର ଓ ନର୍ସ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୬୮ ଜଣ ନର୍ସ ଓ ଡାକ୍ତର ଖ୍ରୀଷ୍ଟମାସ ପାର୍ଟିରେ ସାମିଲ ହୋଇଥିଲେ। ଏହାପରେ ସେମାନଙ୍କ ଠାରେ କୋରୋନା ଲକ୍ଷଣ ଦେଖା ଦେଇଥିଲା। ପରୀକ୍ଷା ପରେ ଡାକ୍ତର ଓ ନର୍ସଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା।
ସୂଚନାଯୋଗ୍ୟ, ମଲାଗା ୟୁନିଭର୍ସିଟି ରିଜନାଲ ହସ୍ପିଟାଲରେ ୬୮ଜଣ ମେଡିକାଲ ଷ୍ଟାଫ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଉକ୍ତ ଡାକ୍ତର ଓ ନର୍ସ ଡିସେମ୍ବର ୧ ତାରିଖରେ ଖ୍ରୀଷ୍ଟମାସ ପାର୍ଟିରେ ସାମିଲ ହୋଇଥିଲେ। ସେଠାରେ ଏକାଠି ୧୭୩ ଜଣ ଉପସ୍ଥିତ ଥିଲେ। ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଯେଉଁ ଲୋକମାନେ ପାର୍ଟିରେ ଯୋଗ ଦେଇଥିଲେ ସେମାନେ ଆଣ୍ଟିଜେନ ଟେଷ୍ଟ କରିବା ସହିତ ତୃତୀୟ ବୁଷ୍ଟର ଟିକା ବି ନେଇଥିଲେ। ସଂକ୍ରମଣର ଅନ୍ୟ ସମ୍ଭାବିତ ସ୍ରୋତ କର୍ମଚାରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଇବା ବ୍ୟବସ୍ଥା ବି ହୋଇପାରେ। ସଂକ୍ରମିତ ଡାକ୍ତର ଓ ନର୍ସଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେଇଥିବା କୁହାଯାଉଛି।