କଂଗ୍ରେସର ‘ହାତ ସେ ହାତ ଯୋଡ଼’ କାର୍ଯ୍ୟକ୍ରମ! କର୍ମୀଙ୍କୁ ଏକଜୁଟ୍ ହେବାକୁ ଆହ୍ୱାନ ଦେଲେ ନବଜ୍ୟୋତି
ବାଲେଶ୍ୱର : ବାଲେଶ୍ୱର ଜିଲାରେ କଂଗ୍ରେସ ଦଳ ପକ୍ଷରୁ ସମ୍ପ୍ରତି ଚାଲିଥିବା ‘ହାତ ସେ ହାତ ଯୋଡ଼’ କାର୍ଯ୍ୟକ୍ରମରେ ଲୋକମାନଙ୍କର ସମର୍ଥନ ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ କର୍ମୀ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ କଂଗ୍ରେସର ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ କହିଛନ୍ତି କି, ରାଜ୍ୟରେ ବିଜୁ ଜନତା ଦଳ ଏବଂ କେନ୍ଦ୍ରରେ ଭାଜପା ସରକାର ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ନଷ୍ଟ କରିସାରିଲେଣି । ତେବେ ପ୍ରମୁଖ ବିରୋଧୀ ଦଳ ଭାବେ କଂଗ୍ରେସ ଦଳ ଲୋକଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି । ଆଗାମୀ ଦିନରେ ଲୋକଙ୍କ ଦୁଃଖ ଓ ଉଭୟ ସରକାରଙ୍କ ଆର୍ଥିକ ଅତ୍ୟାଚାର ବିରୋଧରେ ସାଧାରଣ ମତଦାତା ଓ ମହିଳାମାନେ ଏହି ଦୁଇଦଳର ପ୍ରାର୍ଥୀଙ୍କ ବିରୋଧରେ ଭୋଟ୍ ଦେବାକୁ ଶପଥ ନେବା ଆବଶ୍ୟକ । ଯେଉଁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୋଲିସ୍ ବିଭାଗର ପୋଲିସ କର୍ମଚାରୀ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରିବାକୁ ସାହସ କରୁଛନ୍ତି, ସେଠାରେ ମନ୍ତ୍ରୀ, ବିଧାୟକ, ମୁଖ୍ୟମନ୍ତ୍ରୀ ଏପରିକି ଜନସାଧାରଣ କେତେ ସୁରକ୍ଷିତ ତାହା ଲୋକେ ହିଁ ଅନୁଭବ କରିସାରିଲେଣି ।
କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ ସଭାପତି ସଞ୍ଜିବ କୁମାର ଗିରି ଯୋଗଦେଇ କହିଥିଲେ କି, ରେମୁଣା ନିର୍ବାଚନମଣ୍ଡଳୀର ବିକାଶ କଂଗ୍ରେସ ସମୟରେ ହିଁ ହୋଇଥିଲା । ହେଲେ ଏହି ବିକାଶ କାର୍ଯ୍ୟକୁ କଂଗ୍ରେସର ନେତାମାନେ ଲୋକଙ୍କ ନିକଟରେ ପହଞ୍ଚାଇ ପାରି ନାହାନ୍ତି । ତେଣୁ ଆମେ ଆଦୌ ନିଜର ଦାୟିତ୍ୱ ଠିକ୍ ଭାବେ ତୁଲାଇପାରି ନାହୁଁ । ଅନ୍ୟତମ ବକ୍ତା ଭାବେ ବ୍ଲକ କଂଗ୍ରେସ ସଭାପତି ତରୁଣ କୁମାର ଦାସ, କୁମୁଦୁନୀ ଦାସ, ଜ୍ୟୋତ୍ସ୍ନା ସେନପତି, ଅର୍ଚ୍ଚନା ନନ୍ଦୀ, ପ୍ରଜ୍ଞାପାରମିତା ମହାନ୍ତି, କହ୍ନେଇ ବେହେରା, କହ୍ନେଇ ଚରଣ ପ୍ରଧାନ, ଶ୍ରମିକ ନେତା ବିକାଶ ଦାସ, ଜୟନ୍ତୀ ବେହେରା, କିଷାନ୍ ସେଲ୍ ଜିଲା ସଭାପତି ନିରଞ୍ଜନ ବେହେରା, ରବି ମଣ୍ଡଳ, ପ୍ରଦୀପ କୁମାର ଦାସ, ଶ୍ରୀଧର ବେହେରା, ନିରୁପମା ଜେନା, ସୁରେଶ ଜେନା, କବିତା ଜେନା, ପ୍ରଭାକର ମଲ୍ଲିକ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।