ଚାନ୍ଦିପୁର ଆଇଟିଆରରୁ ଗୁପ୍ତ ତଥ୍ୟ ଚୋରୀ ମାମଲା : କ୍ରାଇମ ବ୍ରାଞ୍ଚକୁ ମାମଲା ହସ୍ତାନ୍ତର
- ବିଚାର ବିଭାଗ ହାଜତ ଗଲେ ଚାରି ଅଭିଯୁକ୍ତ
- ବିଦେଶୀ ମହିଳାଙ୍କ ହନିଟ୍ରାପରେ ଫସି କରୁଥିଲେ ଦେଶ ବିରୋଧୀ କାର୍ଯ୍ୟ
ବାଲେଶ୍ୱର : ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଏକୀକୃତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ବିଦେଶୀ ରାଷ୍ଟ୍ରକୁ ଗୁପ୍ତ ତଥ୍ୟ ପ୍ରଦାନ ମାମଲାରେ ଜାମିନ ନାମଞ୍ଜୁର ହେବାରୁ ଗିରଫ ୪ ଠିକା କର୍ମଚାରୀଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ଚାନ୍ଦିପୁର ଥାନାରେ ରୁଜୁ ହୋଇଥିବା ୭୬/୨୦୨୧ ନଂ ର ମାମଲାର ତଦନ୍ତ ଭାର ଓଡିଶା କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । କ୍ରାଇମବ୍ରାଞ୍ଚଞ୍ଚଆଡିସନାଲ ଏସପି ପ୍ରଶାନ୍ତ କୁମାର ବିଶୋଇ ଏହାର ତଦନ୍ତ ଭାର ନେବେ ବୋଲି ପୋଲିସ ମହାନିର୍ଦ୍ଦେଶକ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି । ଶ୍ରୀ ବିଶୋଇଙ୍କ ନେତୃତ୍ୱରେ ଚାରି ଜଣିଆ ଟିମ୍ ବାଲେଶ୍ୱର ଆସି ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ବୋଲି ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ଏହି ମାମଲାରେ ଗିରଫ ୪ ଅଭିଯୁକ୍ତ ଚାନ୍ଦିପୁର ଥାନା ଅନ୍ତର୍ଗତ ଝାମ୍ପୁରାହାଟ ଓ ନୂଆନଈ ଘାଟ ଅଞ୍ଚଳର ବସନ୍ତ ବେହେରା, ହେମନ୍ତ କୁମାର ମିସ୍ତ୍ରୀ, ତାପସ ରଞ୍ଜନ ନାୟକ ଓ ସେଖ ଫୁସାଫିରଙ୍କୁ କ୍ରାଇମବ୍ରାଞ୍ଚ ଖୁବଶୀଘ୍ର ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି । ତେବେ ଅଭିଯୁକ୍ତମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀମାଇନା କରାଇବା ପରେ ପୁଲିସ ବାଲେଶ୍ୱର ଏସଡିଜିଏମଙ୍କ ଅଦାଲତରେ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସରକାରୀ ଓକିଲ ଗାୟତ୍ରୀ ଦାସ ସୂଚନା ଦେଇଛନ୍ତି ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ଆଇଟିଆରରେ ଓ ଜଣେ ପ୍ରୁଫ ଏଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ (ପିଏକ୍ସଇ)ରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଅଭିଯୁକ୍ତମାନଙ୍କ ନିକଟକୁ ଆଇଏସଡି କଲ୍ ଆସୁଥିବା ଏବଂ ସେମାନେ ମଧ୍ୟ ଦେଶ ବାହାରକୁ କଲ୍ କରୁଥିବା କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା (ଆଇବି)ର ଟ୍ରାକରୁ ଜଣାପଡ଼ିଥିଲା । ପାକିସ୍ଥାନକୁ ଲାଗି ରାଜସ୍ଥାନ ସୀମାରୁ ଆସୁଥିବା ଏହି କଲକୁ ନେଇ ଗୋଇନ୍ଦା ବିଭାଗର ସନ୍ଦେହ ବଢ଼ିଥିଲ । ଅଭିଯୁକ୍ତମାନେ ଫେସବୁକ ଓ ହ୍ୱାଟ୍ସଆପ୍ରେ ଭଏସ ଓ ଭିଡିଓ କଲ୍ ମାଧ୍ୟମରେ ବିଦେଶୀ ମହିଳା ଏଜେଣ୍ଟମାନଙ୍କ ସହ ଯୋଗାଯୋଗରେ ରହୁଥିବା ଜଣାପଡିଛି । ଏହି କଲ୍ ମାଧ୍ୟମରେ ଅଭିଯୁକ୍ତମାନେ ପଡ଼ୋଶୀ ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କରୁଥିବା ଆଇବି ସନ୍ଦେହ କରିଥିଲା । ଏ ସମ୍ପର୍କରେ ପୋଲିସକୁ ଅବଗତ କରାଯିବା ସହ ଆଇବି ପକ୍ଷରୁ ଦୁଇ ଜଣିଆ ଟିମ ଆସି ବାଲେଶ୍ୱରରେ ପହଞ୍ôଚଥିଲା । ପୂର୍ବାଞ୍ଚଳ ଜୋନ ପୋଲିସ ଆଇଜିଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପୁଲିସର ୬ ଜଣ ଡିଏସପି ଓ ୬ ଥାନାର ପୁଲିସଙ୍କୁନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ସହ ସେମାନଙ୍କୁ ଗିରଫ କରାଯାଇଥିଲା । ସୋମବାର ବିଳମ୍ବିତ ରାତିରେ ୪ଜଣଙ୍କୁ ପୁଲିସ ଉଠାଇ ଆଣିଥିଲା । ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଓ ଆଖଣ୍ଡତା ଉପରେ ଗୁରୁତର କ୍ଷତି ପହଞ୍ଚାଇବା ଅଭିଯୋଗରେ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଥିବା ପୂର୍ବାଞ୍ଚଳ ଆଇଜି ସ୍ପଷ୍ଟ କରିଛନ୍ତି । ବିଦେଶୀ ଗୁପ୍ତଚର ସଂସ୍ଥା ମହିଳା ଏଜେଣ୍ଟମାନେ ଅଭିଯୁକ୍ତମାନଙ୍କୁ ହନିଟ୍ରାପରେ ଫସାଇ ଗୁପ୍ତତଥ୍ୟ ହାସ କରିଥିବା ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି । ଏନେଇ ବିଦେଶୀ ରାଷ୍ଟ୍ରରୁ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ବେଶ ମୋଟ ଅଙ୍କର ଅର୍ଥ ନିୟମିତ ଆସୁଥିଲା ବୋଲି କୁହାଯାଉଛି ।