ସ୍କୁଲ ସମୟ ଦିନ ୧୦ଟା ଯାଏଁ ବଢାଇବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପରାମର୍ଶ
ଭୁବନେଶ୍ୱର : ପ୍ରବଳ ଖରା ପାଇଁ ସକାଳୁଆ ସ୍କୁଲ କରାଯାଇଥିବା ବେଳେ ପାଠପଢା ସମୟକୁ ବୃଦ୍ଧି କରିବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଗତ ମେ’ ୨ ତାରିଖରୁ ସ୍କୁଲ୍ ଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲୁଛି । ତେବେ ପାଗରେ ପରିବର୍ତନ ଆସିଥିବାରୁ ପାଠପଢ଼ା ସମୟକୁ ଦିନ ୧୦ଟା ପର୍ଯ୍ୟନ୍ତ ବଢ଼ାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।
ଏପ୍ରିଲ ମାସରେ ଅସମ୍ଭାଳ ତାତି ହେବାରୁ ପ୍ରଥମେ କିଛି ଦିନ ସ୍କୁଲ୍ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା । ତା’ପରେ ମେ’ ୨ରୁ ସ୍କୁଲ୍ ଗୁଡ଼ିକୁ ୬ଟାରୁ ୯ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏବେ ପାଣିପାଗରେ ପରିବର୍ତନ ଘଟିଥିବାରୁ ଓ ତାପମାତ୍ରା ଅପେକ୍ଷାକୃତ ହ୍ରାସ ପାଇଥିବାରୁ ସ୍କୁଲର ପାଠପଢ଼ା ଅବଧିକୁ ବୃଦ୍ଧି କରିବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି ।