ମହାବିଦ୍ୟାଳୟ ରାଗିଂ ଘଟଣା : ଛାତ୍ରାବାସରୁ ବହିଷ୍କୃତ ହେଲେ ୯ ଛାତ୍ର
ସମ୍ବଲପୁର : ମହାବିଦ୍ୟାଳୟରେ ରାଗିଂ ଘଟଣାରେ ଛାତ୍ରାବାସରୁ ନିଲମ୍ବିତ ହେଲେ ୯ ଛାତ୍ର । ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନ ସୁଇଟ୍ ମହାବିଦ୍ୟାଳୟ ରେ କିଛି ଦିନ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ପରେ ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କୁ ୮ ସହପାଠୀଙ୍କୁ ରାଗିଂ କରିଥିଲେ । ପରେ ଆଜି ଶୃଙ୍ଖଳା କମିଟିର ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି ।ଏଥିରେ ଦ୍ବିତୀୟ ବର୍ଷର ୮ଜଣ ଓ ଶେଷ ବର୍ଷର ଜଣେ ଛାତ୍ର ରହିଥିବା ଜଣାପଡିଛି । ଶୃଙ୍ଖଳା କମିଟିର ରିପୋର୍ଟ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସୁଇଟର ନିର୍ଦ୍ଦେଶକ ପ୍ରଫେସର ବି.କେ. ମହାନ୍ତି ।
ଶୃଙ୍ଖଳା କମିଟିର ତଦନ୍ତ ରିପୋର୍ଟ ମିଳିବା ପରେ ଆଜି ତୁରନ୍ତ ସୁଇଟ୍ ନିର୍ଦେଶକ ପ୍ରଫେସର ବି.କେ ମହାନ୍ତି ସମ୍ପୃକ୍ତ ୯ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏଥିରେ ଦ୍ୱିତୀୟ ବର୍ଷର ୮ ଜଣ ଛାତ୍ର ଏବଂ ଶେଷ ବର୍ଷର ଜଣେ ଛାତ୍ର ରହିଛନ୍ତି। ଘଟଣାରେ ସିଧାସଳଖ ସମ୍ପୃକ୍ତି ଥିବା ୪ ଜଣ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଛାତ୍ରବାସରୁ ଏକ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଦ୍ୱିତୀୟ ବର୍ଷର ଅନ୍ୟ ୪ ଜଣ ଛାତ୍ରଙ୍କୁ ୬ ମାସ ପାଇଁ ଛାତ୍ରବାସରୁ ବହିଷ୍କାର କରାଯାଇଥିବା ସୁଇଟ୍ ନିର୍ଦେଶକ ସୂଚନା ଦେଇଛନ୍ତି। ଏଥିସହିତ ଦୋଷୀ ୮ ଜଣ ଛାତ୍ରଙ୍କୁ ଶେଷବର୍ଷର କିଛି ଛାତ୍ର ନିଜ ମନ ମୁତାବକ ରାତିଅଧିଆ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ଶେଷ ବର୍ଷର ଜଣେ ଛାତ୍ରଙ୍କୁ ମଧ୍ୟ ୬ ମାସ ପାଇଁ ଛାତ୍ରାବାସରୁ ବହିଷ୍କୃତ କରାଯାଇଥିବାବେଳେ ଅନ୍ୟକିଛି ଛାତ୍ରଙ୍କୁ ତାଗିଦ କରି ଛଡ଼ାଯାଇଥିବା ନିର୍ଦେଶକ ପ୍ରଫେସର ମହାନ୍ତି ସୂଚନା ଦେଇଛନ୍ତି।
ସୂଚନା ଯେ, ବୁର୍ଲା ସୁଇଟ୍ ମହାବିଦ୍ୟାଳୟରେ ଏକ ମାସ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କୁ ତାଙ୍କ ୮ ଜଣ ସହପାଠୀ ରାତିରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାପରେ ସମ୍ପୃକ୍ତ ଛାତ୍ର ଜଣକ ଘଟଣା ସମ୍ପର୍କରେ ଶେଷବର୍ଷରେ ପଢୁଥିବା ତାଙ୍କ ଜଣେ ସମ୍ପର୍କୀୟ ବଡ଼ଭାଇଙ୍କୁ ଜଣାଇଥିଲେ। ଏହାପରେ ବଡ଼ଭାଇ ଜଣକ ତାଙ୍କ କିଛି ସାଙ୍ଗମାନଙ୍କ ସହ ମିଶି ଦୁର୍ବ୍ୟବହାର କରିଥିବା ସେହି ୮ ଜଣ ଛାତ୍ରଙ୍କୁ ଅଧରାତିରେ ଛାତ୍ରବାସ ମଧ୍ୟରେ ଆଣ୍ଠେଇଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ସେହି ଛାତ୍ରବାସରେ ରାତିରେ ତଦାରଖ କରୁଥିବା କିଛି ଅଧ୍ୟାପକଙ୍କ ନିକଟକୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ସେମାନେ ତୁରନ୍ତ ନିର୍ଦେଶକଙ୍କୁ ଜଣାଇଥିଲେ। ଏହା ପରେ ସୁଇଟ୍ ନିର୍ଦେଶକ ପ୍ରଫେସର ମହାନ୍ତି ତୁରନ୍ତ ଶୃଙ୍ଖଳା କମିଟି ଗଠନ କରି ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ।