୨୦ରେ ମହାନଦୀ ଉପରେ ଓଡ଼ିଶାର ସବୁଠାରୁ ଲମ୍ବା ସେତୁର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମହାନଦୀରେ ଯୋଡ଼ି ହେଲା ଆଉ ଏକ ସମ୍ପର୍କର ସେତୁ। ଆସନ୍ତା ୨୦ ତାରିଖରେ ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ କଟକ ଜିଲ୍ଲାର ବାଙ୍କୀ-ବୈଦେଶ୍ୱର ଠାରୁ ବଡ଼ମ୍ବା-ଗୋପିନାଥପୁରକୁ ସଂଯୋଗ ହୋଇଥିବା ଟି-ସେତୁ। ଏହା ମହାନଦୀ ଉପରେ ଓଡ଼ିଶାର ସବୁଠାରୁ ଲମ୍ବା ସେତୁ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସେତୁଟି ନିର୍ମାଣ ହେବା ଫଳରେ ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା-ନୟାଗଡ଼-ବ୍ରହ୍ମପୁର ସହିତ ଢେଙ୍କାନାଳ, ଅନୁଗୁଳ ଓ ବୈାଦ୍ଧ ଜିଲ୍ଲାକୁ ଯୋଗାଯୋଗ ସହଜ ହେବ।
କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ନିକଟ ମହାନଦୀ ମଧ୍ୟଭାଗରେ ତିଆରି ହୋଇଛି ଏହି ଟି-ସେତୁ। ଏହି ସେତୁଟିର ଲମ୍ବ ୩ କିଲୋମିଟର ୧୧୮ ମିଟର ହୋଇଥିବାବେଳେ ପୋଲର ମଧ୍ୟ ଭାଗରୁ ସିଂହନାଥ ଶୈବପୀଠକୁ ଯୋଡାଯାଇଥିବାରୁ ଏହାକୁ ଟି-ସେତୁ ବୋଲି କୁହାଯାଉଛି। ତେବେ ୨୦୧୪ରେ ଏହି ସେତୁର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିବା ବେଳେ କିଛି ବୈଷୟିକ ତ୍ରୁଟି କାରଣରୁ ଏହାର କାର୍ଯ୍ୟ ବିଳମ୍ବ ହୋଇଥିଲା। ଏବେ ସେତୁ ନିର୍ମାଣ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ମହାନଦୀରେ ଆଉ ଏକ ସମ୍ପର୍କର ସେତୁ ଯୋଡ଼ି ହେଲା ବୋଲି ବାଙ୍କୀ ବିଧାୟକ ଦେବୀରଞନ ତ୍ରିପାଠୀ କହିଛନ୍ତି।