ବିଶ୍ୱସ୍ତରୀୟ ଷ୍ଟାର୍ଟ ଅପ୍ ଇନକ୍ୟୁବେସନ ସେଂଟର ‘ଓ-ହବ୍’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ପଟିଆ ସ୍ପେଶାଲ ଇକୋନୋମିକ୍ ଜୋନ୍ (ଏସଇଜେଡ) ଠାରେ ବିଶ୍ୱସ୍ତରୀୟ ଷ୍ଟାର୍ଟ ଅପ୍ ଇନକ୍ୟୁବେସନ ସେଂଟର ‘ଓ-ହବ୍’ର ଉଦଘାଟନ କରିଛନ୍ତି । ଏହି ଇନକୁବେସନ ସେଂଟର ରାଜ୍ୟରେ ଷ୍ଟାର୍ଟଅପମାନଙ୍କୁ ଗଢିବା ଓ ସେଗୁଡ଼ିକର ଅଭିବୃଦ୍ଧିରେ ସହାୟକ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିକାଶରେ ଓ-ହବ୍ ବହୁତ ଉପାଦେୟ ହୋଇପାରିବ । ରାଜ୍ୟ ସରକାର ଘରୋଇ ପୁଞ୍ଜିନିବେଶକାରୀକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି । ଷ୍ଟାର୍ଟଅପ୍ ପାଇଁ ରାଜ୍ୟ ସରକାର ଏକ ନୂଆ ଡ୍ରାଫ୍ଟ ପଲିସି ଆଣିବେ । ଏଥିରେ ସ୍କୁଲ ପାଠ୍ୟକ୍ରମରେ ଏଂଟରପ୍ରେନରସିପ୍ କୁ ନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ସ୍ଥାନ ପାଇବ । ଯୁବଗୋଷ୍ଠୀଙ୍କୁ ଏଂଟରପ୍ରେନରସିପ୍ କରିବା ପାଇଁ ଛାତ୍ର ଜୀବନରୁ ମଧ୍ୟ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓ-ହବ୍ ଷ୍ଟାର୍ଟଅପ୍ ଓଡ଼ିଶା ଇନ୍କ୍ୟୁବେସନ୍ ସେଂଟରର ଶୁଭାରମ୍ଭ ଅବସରରେ ସେ ଆହୁରି କହିଛନ୍ତି ଯେ, ୨୦୨୫ ସୁଦ୍ଧା ୫ହଜାର ଷ୍ଟାର୍ଟ-ଅପ୍ ଉଦ୍ୟୋଗୀ ସୃଷ୍ଟି ନେଇ ଯେଉଁ ଲକ୍ଷ୍ୟ ରହିଛି ତାହା ପୂରଣ କରିବା ଦିଗରେ ଓ-ହବ୍ ସହାୟକ ହେବ ।
ଦେଢଲକ୍ଷ ବର୍ଗଫୁଟରୁ ଅଧିକ ବିଲଡ଼ିଙ୍ଗରେ ୯୩ ଇନକ୍ୱିବେଟରଙ୍କୁ ସ୍ଥାନ ମିଳିବା ସହ ଖୁବଶୀଘ୍ର ୨୦୦ ଯୁବ ଉଦ୍ୟୋଗୀଙ୍କୁ ଏଠାରେ ସୁଯୋଗ ମିଳିବ । ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିକାଶରେ ଓ-ହବ୍ ବହୁତ ଉପାଦେୟ ହୋଇପାରିବ । ରାଜ୍ୟରେ ଷ୍ଟାର୍ଟଅପର ଇକୋ ସିଷ୍ଟମ୍ ବାତାବରଣକୁ ଏହା ଅଧିକ କ୍ରିୟାଶୀଳ କରିବ । ଅଧିକ ସଂଖ୍ୟକ ମହିଳା କିପରି ଉଦ୍ୟୋଗୀ ହୋଇପାରିବେ, ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ଏଥିରେ ୭୫ଟି ଇ-ସେଲସ୍ କାଉଂଟର, ୯୩ ଇନକ୍ୱ୍ୟୁବେଟର ସହ ୧୦ହଜାର ନିଯୁକ୍ତି ପାଇଁ ବ୍ୟବସ୍ଥା ହୋଇଛି । ବିଶେଷ କରି କୃଷି, ସ୍ୱାସ୍ଥ୍ୟ, ସବୁଜ ଶକ୍ତି କ୍ଷେତ୍ରରେ ଷ୍ଟାର୍ଟ ଅପ୍ ଉଦ୍ୟୋଗୀଙ୍କ ଆଇଡ଼ିଆ ଏଠାରେ ବାସ୍ତବ ରୂପ ନେବ । ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ୍ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।