ବାଲେଶ୍ୱର ଜିଲାପାଳଙ୍କୁ ଏସଆରସି କ୍ଷମତା ଦେଲେ ମୁଖ୍ୟମନ୍ତ୍ରୀ, ସ୍ବତନ୍ତ୍ର ହେଲିକପ୍ଟର ବ୍ୟବହାର କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ବାଲେଶ୍ୱର ଜିଲାପାଳଙ୍କୁ ଏସଆରସି କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ବାଲେଶ୍ବର ଜିଲାରେ ବଡ଼ ଧରଣର ବନ୍ୟା ହେବା ନେଇ ଆଶଙ୍କା କରାଯାଉଛି । ସୁବର୍ଣ୍ଣରେଖା ନଦୀରେ ବଡ଼ ଧରଣର ବନ୍ୟା ଆସିବା ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି । ଆଉ ବନ୍ୟା ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲାପାଳଙ୍କୁ ଏସଆରସି କ୍ଷମତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସମୟରେ ଅବଶ୍ୟକ ପଡ଼ିଲେ ଉଦ୍ଧାର ପାଇଁ ସ୍ବତନ୍ତ୍ର ହେଲିକପ୍ଟର ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି ।
ଗତ କିଛି ଘଣ୍ଟା ପୂର୍ବରୁ ଏସଆରସି ପ୍ରଦୀପ ଜେନା ମୟୂରଭଞ୍ଜ ଓ ବାଲେଶ୍ୱରରେ ବନ୍ୟା ନିଶ୍ଚିତ ହେବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏସଆରସିଙ୍କ କହିବା ଅନୁଯାୟୀ ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ତେଣୁ ସୁବର୍ଣ୍ଣରେଖା ଅବବାହିକାରେ ନିଶ୍ଚିତ ବନ୍ୟା ହେବ ବୋଲି ସେ କହିଥିଲେ । ବର୍ତ୍ତମାନ ଗାଲୁଡିହି ବ୍ୟାରେଜରେ ୧୬ଟି ଗେଟ୍ ଖୋଲା ରହିଛି । ଫଳରେ ପ୍ରାୟ ୫ଲକ୍ଷ କ୍ୟୁସେକ୍ ବନ୍ୟାପାଣି ଆସୁଛି । ତେଣୁ ଏହି ଜିଲାରେ ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ ବୋଲି ଏସଆରସି କହିଛନ୍ତି । ତାହାଛଡ଼ା ବନ୍ୟା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିବା ବେଳେ, ୫୮ଟି ଅତିରିକ୍ତ ରେସ୍କ୍ୟୁ ଟିମ୍ ମୟୂରଭଞ୍ଜ ଓ ବାଲେଶ୍ବର ଜିଲାକୁ ପଠାଯାଇଛି ବୋଲି ସେ ତାଙ୍କ ସୂଚନାରେ କହିଥିଲେ ।
ସୂଚନା ଯେ, ଗତ ୨୦୦୮ ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟା ଠାରୁ ଏଥରର ପ୍ରଭାବ ଅଧିକ ରହିବ। ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍ ଗେଟ୍ ଦେଇ ପ୍ରାୟ ୬ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଜାମଶୋଳା ଘାଟରେ ସୁବର୍ଣ୍ଣରେଖା ଏବେ ବିପଦ ସଂକେତ ଠାରୁ ୪ମିଟର ଉପରେ ରହିଛି। ବନ୍ୟା ହେଲେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ ଅଧିକ ପ୍ରଭାବିତ ହେବ। ଆଜି ଅପରାହ୍ନରୁ ବନ୍ୟାର ପ୍ରଭାବ ପଡ଼ିବ ଓ ଏହା ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ।