ଦେଶରେ ବଢୁଛି ଶିଶୁ ଯୌନ ଶୋଷଣ; ଲୋକସଭାରେ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ
୨୦୨୦ରେ ପକ୍ସୋ ଆକ୍ଟ ଅନୂଯାୟୀ ୪୭ ହଜାରରୁ ଅଧିକ ମାମଲା ରୁଜୁ
ନୂଆଦିଲ୍ଲୀ : ଦେଶରେ ବଢୁଛି ଶିଶୁଙ୍କ ଉପରେ ଯୌନ ଶୋଷଣ । ଗତ ୨୦୨୦ରେ ପକ୍ସୋ ଆକ୍ଟ ଅନୂଯାୟୀ ପ୍ରାୟ ୪୭ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ଏନେଇ ସରକାର ଶୁକ୍ରବାର ଲୋକସଭାରେ ସୂଚନା ଦେଇଛନ୍ତି । ସୂଚନା ଅନୂଯାୟୀ ଏହି ମାମଲାରେ ଦଣ୍ଡ ପ୍ରତିଶତ ୩୯.୬% ରହିଛି ।
କୁମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ମାର୍କ୍ସବାଦୀ) ସାଂସଦ ଏସ ଭେଙ୍କଟେସନଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ଦ୍ୱାରା ପ୍ରସ୍ତୁତ ତଥ୍ୟକୁ ସଂସଦରେ ଉପସ୍ଥାପନ କରିଛନ୍ତି । ପଞ୍ଜୀକୃତ ହୋଇଥିବା ମାମଲା ମଧ୍ୟରୁ ଉତ୍ତରପ୍ରଦେଶରେ ୬୮୯୮ କେସ୍ ସହ ପ୍ରଥମ ନମ୍ବରରେ ରହିଛି । ଏହାପରେ ମହାରାଷ୍ଟ୍ରରେ ୫୬୮୭ ଏବଂ ମଧ୍ୟପ୍ରଦେଶରେ ୫୬୪୮ ମାମଲା ରେକର୍ଡ ହୋଇଛି ।
ରେକର୍ଡ ଅନୂଯାୟୀ ଉତ୍ତରପ୍ରଦେଶରେ ଦୋଷ ପ୍ରମାଣିତ ହୋଇଥିବା ପ୍ରତିଶତ ୭୦.୭% ଥିଲା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ କ୍ରମଶଃ ୩୦.୯% ଏବଂ ୩୭.୨ ପ୍ରତିଶତ ରହିଥିଲା । ସେପଟେ ମଣିପୁର ଏକମାତ୍ର କେନ୍ଦ୍ରଶାସିତ ଅଞ୍ଚଳ ଯେଉଁଠାରେ ଦଣ୍ଡ ହାର ଲଗାତାର ତିନି ବର୍ଷରେ ୧୦୦% ରହିଥିଲା । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ୨୦୨୦ ଶେଷ ବେଳକୁ ୧୭୦୦୦୦ ମାମଲା ରୁଜୁ ହୋଇଥିଲା, ଯାହା ୨୦୨୮ ରେ ରୁଜୁ ହୋଇଥିବା ୧୦୮୧୨୯ ମାମଲା ତୁଳନାରେ ୫୭.୪% ଅଧିକ । ୨୦୨୦ ରେ କେନ୍ଦ୍ରଶାସିତ ପ୍ରଦେଶ ଲଦାଖ ଏବଂ ଚଣ୍ଡୀଗଡ଼ରେ ପକ୍ସୋ ଆକ୍ଟରେ ଗୋଟିଏ ବି ମାମଲା ରୁଜୁ ହୋଇନଥିଲା । ସେହିପରି ଗୋଆ ଏବଂ ହିମାଚଳ ପ୍ରଦେଶରେ ପାଞ୍ଚ ପାଞ୍ଚଟି ମାମଲା ରୁଜୁ ହୋଇଥିଲା । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ବଳାତ୍କାର ଏବଂ ପକ୍ସୋ ଆକ୍ଟ ସହିତ ଜଡ଼ିତ ମାମଲାଗୁଡ଼ିକର ଶୀଘ୍ର ବିଚାର ଏବଂ ସମାଧାନ ପାଇଁ ନ୍ୟାୟ ବିଭାଗ ଏକ ଯୋଜନା କାର୍ଯ୍ୟକାରୀ କରୁଛି । ଇରାନୀ କହିଛନ୍ତି ଯେ ୨୦୨୨ ରେ ୮୯୨ ଫାଷ୍ଟଟ୍ରାକ୍ କୋର୍ଟ ସକ୍ରିୟ ଥିବାବେଳେ ୨୦୨୧ ରେ ୮୯୮ ଥିଲା।