ତାଳଚେର ମେଡିକାଲ୍ କଲେଜ ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ
ଭୁୁବନେଶ୍ୱର : ତାଳଚେରଠାରେ ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ଏବଂ ହସ୍ପିଟାଲ୍ କୁ ଶିଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ଏମ୍ ନାଗାରାଜୁ ଏବଂ ମହାନଦୀ କୋଲ୍ଡଫିଲଡର ବରିଷ୍ଠ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି । ଆଜି ରାଜ୍ୟ ସଚିବାଳୟଠାରେ କୋଇଲା ଉତୋଳନ ଓ ପରିବହନ ସମ୍ବନ୍ଧିତ ସଦ୍ୟତନ ସ୍ଥିତି ଆଲୋଚନାକଲାବେଳେ ଶ୍ରୀ ମହାପାତ୍ର ଏହି ଅନୁରୋଧ କରିଥିଲେ ।
କେନ୍ଦ୍ରୀୟ ଅତିରିକ୍ତ ଶାସନ ସଚିବ ଜଣାଇଥିଲେ ଯେ ଇତିମଧ୍ୟରେ ତାଳଚେରଠାରେ ଏହି ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଛି । ୫୦୦ ବେଡ୍ ବିଶିଷ୍ଟ ଏହି ଭେଷଜ ମହାବିଦ୍ୟାଳୟ ନିର୍ମାଣ, ଆନୁସଙ୍ଗିକ ଆସବାବପତ୍ର, ଯନ୍ତ୍ରପାତି ଏବଂ ଚିକିତ୍ସା ଉପକରଣ ଆଦି ପାଇଁ ଏମ୍.ସି.ଏଲ୍. ତରଫରୁ ୫୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ।
ଭେଷଜ ମହାବିଦ୍ୟାଳୟର ଦୈନନ୍ଦିନ ପରିଚାଳନା ଏ କ୍ଷେତ୍ରରେ ଅଭିଜ୍ଞତା ଥିବା ବୃତିଗତ ସଂସ୍ଥାଙ୍କ ଦ୍ୱାରା କରାଯିବ ବୋଲି ଶ୍ରୀ ନାଗାରାଜୁ କହିଥିଲେ । ଏହି ସଂସ୍ଥା ଚୟନ ପାଇଁ ବିଭିନ୍ନ ସଂସ୍ଥାମାନଙ୍କ ଠାରୁ ଆଗ୍ରହ ପତ୍ର ଆହ୍ୱାନ କରାଯାଇଛି । ଖୁବ୍ ଶିଘ୍ର ଏ ବିଷୟରେ ନିଷ୍ପତି ହେବ । ତାଳଚେର ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ କାର୍ଯ୍ୟକାରୀ ହେଲେ ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଏବଂ ଆଖପାଖ ଜିଲ୍ଲାର ଜନସାଧାରଣ ସୁବିଧାରେ ଉଚ୍ଚମାନର ସ୍ୱାସ୍ଥ୍ୟସେବା ପାଇବେ ।