ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : ମନରେଗା ମାନବ ଦିବସ ବୃଦ୍ଧି କରିବାକୁ ଦାବି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନରେଗା ମାନବ ଦିବସ ବୃଦ୍ଧି କରିବାକୁ ଦାବି । ୨୦୨୧-୨୨ ଆର୍ଥିକ ବର୍ଷରେ ୨୫ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ଚିଠିଲେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି । କରୋନା କାଳରେ ବହୁ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଆସିଛନ୍ତି । ସେମାନଙ୍କୁ ରୋଜଗାର ଦେବା ପାଇଁ ରାଜ୍ୟ ସରକାର ମନରେଗା ଯୋଜନାକୁ ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏବେସୁଦ୍ଧା କେନ୍ଦ୍ର ଉପରେ ୧୦୮୮.୭୨ କୋଟି ମନରେଗା ବାବଦକୁ ବକେୟା ପଡ଼ିଛି । ବେକାରୀଙ୍କୁ ମନରେଗା ଯୋଜନା ଅଧୀନରେ ମଜୁରୀ ଦେବା ନିୟମ ରହିଛି । ଠିକ୍ ସମୟରେ ବକେୟା ମନରେଗା ପାଣ୍ଠି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।
ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗ୍ରାମ ଉନ୍ନୟନ ମନ୍ତ୍ରାଳୟ ସଠିକ୍ ସମୟରେ ଅର୍ଥ ମଞ୍ଜୁର କରୁ । ଏହାଫଳରେ ଶ୍ରମିକଙ୍କୁ ଠିକ୍ ସମୟରେ ପାରଶ୍ରମିକ ଦିଆଯାଇପାରିବ । ଗ୍ରାମାଞ୍ଚଳରେ ଅର୍ଥନୀତିକୁ ସୁଧାରିବାକୁ କେନ୍ଦ୍ରର ଉଦ୍ୟମ ପ୍ରଶଂସାଯୋଗ୍ୟ । କରୋନା ସମୟରେ ଏନଜିଏନଆରଇଜିଏର ଚାହିଦା ବଢୁଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।