ସୁନ୍ଦରଗଡ଼ରେ ଏମସ୍ ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି
- ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ
- କ୍ଲିନ୍ ଏନର୍ଜୀ ସେସର ୬୦% ଓଡ଼ିଶାକୁ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି କଲେ ନବୀନ
ଭୁବନେଶ୍ୱର : କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶୁକ୍ରବାର ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଆଲୋଚନା କାଳରେ ୩ଟି ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ ଠାରେ ଏମସ୍ ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି । କ୍ଲିନ୍ ଏନର୍ଜୀ ସେସ୍ ର ୬୦% ଓଡ଼ିଶାକୁ ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଟନ୍ କୁ ୪ଶହ ହିସାବରେ କେନ୍ଦ୍ର ୫୦ ହଜାର କୋଟି ସେସ୍ ପାଇଛି । ସେଥିରୁ ୬୦% ହିସାବରେ ୩୦ ହଜାର କୋଟି ଦେବାକୁ ଦାବି କରିଛନ୍ତି ନବୀନ । ଉକ୍ତ ଟଙ୍କାରେ କୋଇଲା ଖଣି ଅଂଚଳରେ ଉନ୍ନୟନମୂଳକ କାମ ହେବ । ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ ମଧ୍ୟ ଦାବି କଲେ ମୁଖ୍ୟମନ୍ତ୍ରୀ । ତାଳଚେର ଏମସିଏଲ୍ ମେଡିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ମଧ୍ୟ ଦାବି କଲେ ।ଏହି ୫୦୦ ଶଯ୍ୟା ଓ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଥିଲେ । ଏହି ଆଲୋଚନା କାଳରେ କେନ୍ଦ୍ର କୋଇଲା ଓ ଖଣି ରାଜ୍ୟ ମନ୍ତ୍ରୀ ରାଓସାହେବ ପାଟିଲ ଦାନଭେ ଓ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଳଚେରଠାରେ ମହାନଦୀ କୋଲଫିଲ୍ଡ ଲି. ପକ୍ଷରୁ ଭେଷଜ ମହାବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ସରିଛି। ଏଠାରେ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସାଙ୍ଗକୁ ୧୦୦ ସିଟ୍ କ୍ଷମତା ବିଶିଷ୍ଟ ମହାବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କେନ୍ଦ୍ର ସରକାରଙ୍କ ଅନୁମତି ମିଳିଲେ ଢେଙ୍କାନାଳ ଓ ଅନୁଗୋଳ ଅଞ୍ଚଳର ଲୋକେ ସ୍ବାସ୍ଥ୍ୟସେବା ହାତ ପାଆନ୍ତାରେ ପାଇପାରିବେ। ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ସ୍ବଚ୍ଛ ଶକ୍ତି ଉପକର (କ୍ଲିନ୍ ଏନର୍ଜି ସେସ୍) ପ୍ରସଙ୍ଗ ଉଠାଇବା ସହିତ ଓଡ଼ିଶାରୁ ଆଦାୟ ହେଉଥିବା ଏହି ଉପକର ବାବଦରୁ ୬୦% ପ୍ରଦାନ ପାଇଁ ଦାବି କରିଥିଲେ। ୨୦୨୦-୨୧ ବର୍ଷରେ ଓଡ଼ିଶାେର ୧୫୩.୮୫ ନିୟୁତ ଟନ୍ କୋଇଲା ଉତ୍ପାଦନ ହୋଇଛି ଯାହା ଦେଶର ମୋଟ ଉତ୍ପାଦନର ୨୫ ପ୍ରତିଶତ। ଭାରତ ସରକାର ପ୍ରତି ଟନ୍ କୋଇଲା ପିଛା ୪୦୦ଟଙ୍କାର ସେସ୍ ହିସାବରେ ବାର୍ଷିକ ୫୦ହଜାର କୋଟି ଟଙ୍କାରୁ ଅଧିକ ଆଦାୟ କରୁଛନ୍ତି। ଯଦି ସମୁଦାୟ ସେସ୍ ଆଦାୟର ୬୦ପ୍ରତିଶତ ଓଡ଼ିଶାକୁ ପ୍ରଦାନ କରନ୍ତି ତେବେ ରାଜ୍ୟକୁ ୩୦ହଜାର କୋଟି ଟଙ୍କା ମିଳିପାରନ୍ତା। ଉକ୍ତ ଅର୍ଥ ଖଣିଜ ଅଞ୍ଚଳବାସୀଙ୍କ ଅର୍ଥନୈତିକ ବିକାଶରେ ବିନିଯୋଗ ହୋଇପାରିବ। ଏହାଛଡ଼ା କୋଭିଡ ପରବର୍ତ୍ତୀ ପରିସ୍ଥିତିରେ ଓଡ଼ିଶାର ବିକାଶକୁ ଏହା ତ୍ବରାନ୍ବିତ କରିପାରିବ। ଏହି ଅବସରରେ କେନ୍ଦ୍ର ରେଳବାଇ, କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଉପସ୍ଥିତ ଥିଲେ।