ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ସମ୍ବର୍ଦ୍ଧନା ଉତ୍ସବ
ବାଲେଶ୍ୱର : ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବାଲେଶ୍ୱର ପୌରପାଳିକା ପକ୍ଷରୁ ସମ୍ବର୍ଦ୍ଧନା ପର୍ବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟାରେ ଅୟୋଜିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ସବିତା ସାହୁ ଅଧ୍ୟକ୍ଷତା କରିବା ସହ ବାଲେଶ୍ୱର ପୌରାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ସ୍ୱାୟତ୍ତ ଶାସନ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋକପାତ କରିବା ସହ ବାଲେଶ୍ୱର ପୌରପାଳିକାକୁ ୧ ନଂର ସ୍ଥାନରେ ପହଞ୍ଚାଇବାକୁ ପୌର ପରିଷଦ ସମେତ ସହରବାସୀଙ୍କ ସହଭାଗିତାର ଆବଶ୍ୟକ ରହିଛି ବୋଲି ସେ କହିଥିଲେ । ପୌରପାଳିକା ନିର୍ବାହୀ ଅଧିକାରୀ ତଥା ବାଲେଶ୍ୱର ଉପ-ଜିଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ଏଥିରେ ଯୋଗଦେଇ ସ୍ୱାୟତ୍ତ ଶାସନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପୂର୍ବତନ ପୌରାଧ୍ୟକ୍ଷ ତପନ ଚକ୍ରବର୍ତ୍ତୀ, ସୂଜାତା ଦାସ ଓ ଆଲୋକ କୁମାର ସାହୁଙ୍କ ସମେତ ବରିଷ୍ଠ କାଉନସିଲର ପଦ୍ମଲୋଚନ ଲେଙ୍କା ଓ ପୌରପାଳିକା ସିଡିପିଓ ସବିତା ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ କାର୍ଯ୍ୟରେ ଉଲେଖନୀୟ ଅବଦାନ ପାଇଁ ଶ୍ରେଷ୍ଠ ସ୍ୱଚ୍ଛସାଥୀ, ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ସୁପରଭାଇଜର, ସ୍ୱୟଂ ସହାୟକ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସମ୍ମାନିତ କରାଯାଇଥିଲା । ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଅତିଥି ଏହି ଅବସରରେ ପୁରସ୍କୃତ କରିଥିଲେ । କାଉନସିଲରମାନେ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଖ୍ୟାତନାମା ମ୍ୟୁଜିକ ଟ୍ରୁପ ପକ୍ଷରୁ ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।